
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ମଙ୍ଗଳବାର ଦିନ ଓଡ଼ିଶା ରାଜସ୍ୱ ସେବା (୨୦୨୩ ବ୍ୟାଚ୍) ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରି ସେବା ପ୍ରଦାନକୁ ଉନ୍ନତ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଲୋକ ଭବନସ୍ଥିତ ନ୍ୟୁ ଅଭିଷେକ୍ ହଲ୍?ରେ ରାଜସ୍ୱ ଅଧିକାରୀ ତାଲିମ୍ ପ୍ରତିଷ୍ଠାନ (ଆରଓଟିଆଇ) ର ୭୧ ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଥିଲେ ଯେ, ଅଧିକାରୀମାନେ ନିଜ କାର୍ଯ୍ୟର ପ୍ରକାର ନିର୍ବିଶେଷରେ ନୀତି ଲକ୍ଷ୍ୟ ଏବଂ ତୃଣମୂଳସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଉଚିତ। ଏହା ଦ୍ୱାରା କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତା ନିଶ୍ଚିତ ହୋଇପାରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସର୍ବାଧିକ ଲାଭ ପହଞ୍ଚି ପାରିବ।
ରାଜସ୍ୱ ଅଧିକାରୀ ତାଲିମ୍ ପ୍ରତିଷ୍ଠାନ (ଆରଓଟିଆଇ) ଦ୍ୱାରା ପ୍ରସ୍ତୁତ ସରକାରୀ ଯୋଜନାଗୁଡ଼ିକର ସଂକଳନ ପୁସ୍ତିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ପ୍ରଶିକ୍ଷାର୍ଥୀମାନଙ୍କୁ ପିଏମଏସବିୱାଇ , ପିଏମଜେଜେବିୱାଇ , ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ଜନସାଧାରଣଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ପ୍ରଶିକ୍ଷାର୍ଥୀମାନେ ନିଜେ ପ୍ରଯୁଜ୍ୟ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକରେ ଅନ୍ତର୍ଭୁକ୍ତ ହେବା ସହିତ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଯୋଜନାଗୁଡ଼ିକରେ ଅଧିକ ଅନ୍ତର୍ଭୁକ୍ତ ହେବ ନିମନ୍ତେ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ ।
ସାମ୍ପ୍ରତିକ ସମୟରେ ଦେଖା ଯାଇଥିବା ଆର୍ôଥକ ଆହ୍ୱାନ ବିଷୟରେ ଉଲ୍ଲେଖ କରି ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ଅପରିଶୋଧିତ ତୈଳ ଆମଦାନୀ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡୁଥିବା ପ୍ରଭାବ ବିଷୟରେ ରାଜ୍ୟପାଳ ଆଲୋଚନା କରିଥିଲେ । ଭାରତ ବିଦେଶୀ ମୁଦ୍ରାର ଏକ ବଡ଼ ଅଂଶ ତୈଳ ଆମଦାନୀରେ ଖର୍ଚ୍ଚ କରୁଥିବାରୁ ବ୍ୟକ୍ତିଗତ ସ୍ତରରେ ଆଚରଣଗତ ପରିବର୍ତ୍ତନ ମାଧ୍ୟମରେ ଆର୍ôଥକ ଚାପ ହ୍ରାସ କରାଯାଇପାରିବ ବୋଲି ରାଜ୍ୟପାଳ କହିଥିଲେ ।
ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମ କରି କ୍ରମଶଃ ବୈଦ୍ୟୁତିକ ଗତିଶୀଳତା ଆଡ଼କୁ ପରିବର୍ତ୍ତନ କରିବାକୁ ରାଜ୍ୟପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟପାଳଙ୍କ ଅଫିସିଆଲ କନ୍?ଭଏରେ ପ୍ରାୟ ଏକ ବର୍ଷ ଧରି ବୈଦ୍ୟୁତିକ ଯାନ ବ୍ୟବହାର ହେଉଥିବା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ।
ସ୍ୱଚ୍ଛ ଗତିଶୀଳତାକୁ ନବୀକରଣଯୋଗ୍ୟ ଶକ୍ତି ସହ ଯୋଡ଼ି ପିଏମ୍ ସୂର୍ଯ୍ୟ ଘର ଯୋଜନା ଏବଂ ରୁଫ୍ ଟପ ସୌର ବ୍ୟବସ୍ଥା ଏବଂ ଏହା ମାଧ୍ୟମରେ ଇଭି ଚାର୍ଜିଙ୍ଗ୍ ବ୍ୟବସ୍ଥା ବିଷୟରେ ରାଜ୍ୟପାଳ ଆଲୋଚନା କରିଥିଲେ। ଏ ଦିଗରେ ଲୋକ ଭବନରେ ଏକାଧିକ ସ୍ଥାନରେ ସୌର ପ୍ୟାନେଲ୍ ସ୍ଥାପନ କରାଯାଇ ୬୩୫ କିଲୋୱାଟ୍ ସୌର ଶକ୍ତି ଉତ୍ପାଦନ କରାଯାଇପାରୁଛି । ଆରଓଟିଆଇ ନିଜର ଶକ୍ତି ଆବଶ୍ୟକତାର ୪୦ ପ୍ରତିଶତ ସୌର ଶକ୍ତି ମାଧ୍ୟମରେ ପୂରଣ କରୁଥିବାରୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।
କୋଭିଡ୍-୧୯ ମହାମାରୀରୁ ହାସଲ କରାଯାଇଥିବା ଶିକ୍ଷା ବିଷୟରେ ଅବତାରଣା କରି ରାଜ୍ୟପାଳ କହିଥିଲେ ଯେ, ଆତ୍ମନିର୍ଭରତା, ଉଦ୍ଭାବନ ଏବଂ ଡିଜିଟାଲ ବ୍ୟବସ୍ଥା ଅବଲମ୍ବନ କରି ଭାରତ ଅହ୍ୱାନଗୁଡିକୁ ସୁଯୋଗରେ ପରିଣତ କରିଛି। ଇଛା ମୁତାବକ ଖର୍ଚ୍ଚ ଯଥା ସୁନା କ୍ରୟ ଏବଂ ବିଦେଶ ଯାତ୍ରା ପ୍ରତି ସତର୍କତା ଅବଲମ୍ବନ କରି ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ କମ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ଡ଼. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜସ୍ୱ ଅଧିକାରୀ ତାଲିମ୍ ପ୍ରତିଷ୍ଠାନର ନିର୍ଦେଶକ ଦିଗନ୍ତ ରାଉତରାୟ ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା