ଆଇଆଇଏମ୍ ସମ୍ବଲପୁରରେ ୧୨ତମ ଏମ୍ବିଏ ଓ ୬ଷ୍ଠ ଏକ୍ସିକ୍ୟୁଟିଭ୍ ଏମ୍ବିଏ ବ୍ୟାଚ୍ର ଶୁଭାରମ୍ଭ
ଆଇଆଇଏମ୍ ସମ୍ବଲପୁରରେ ୧୨ତମ ଏମ୍ବିଏ ଓ ୬ଷ୍ଠ ଏକ୍ସିକ୍ୟୁଟିଭ୍ ଏମ୍ବିଏ ବ୍ୟାଚ୍ର ଶୁଭାରମ୍ଭ
ଆଇଆଇଏମ୍ ସମ୍ବଲପୁରରେ ୧୨ତମ ଏମ୍ବିଏ ଓ ୬ଷ୍ଠ ଏକ୍ସିକ୍ୟୁଟିଭ୍ ଏମ୍ବିଏ ବ୍ୟାଚ୍ର ଶୁଭାରମ୍ଭ


ସମ୍ବଲପୁର,୩୦, ଜୁନ୍ (ହି.ସ.) ଭାରତର ଅଗ୍ରଣୀ ପରିଚାଳନା ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ଆଇଆଇଏମ୍ ସମ୍ବଲପୁରରେ ୨୦୨୬-୨୮ ଶିକ୍ଷାବର୍ଷ ପାଇଁ ୧୨ତମ ଫ୍ଲାଗ୍ଶିପ୍ ଏମ୍ବିଏ ଏବଂ ୬ଷ୍ଠ ଏକ୍ସିକ୍ୟୁଟିଭ୍ ଏମ୍ବିଏ ବ୍ୟାଚ୍ର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ଫ୍ଲାଗ୍ଶିପ୍ ଏମ୍ବିଏରେ ୩୦୦ରୁ ଅଧିକ ଏବଂ ଏକ୍ସିକ୍ୟୁଟିଭ୍ ଏମ୍ବିଏରେ ୯୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଜ ଶିକ୍ଷାଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଚଳିତ ବର୍ଷର ଏମ୍ବିଏ ବ୍ୟାଚ୍ରେ ୨୫ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଂଚଳରୁ ଛାତ୍ରଛାତ୍ରୀ ଭର୍ତୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬୮ ପ୍ରତିଶତ ପୁରୁଷ ଏବଂ ୩୨ ପ୍ରତିଶତ ମହିଳା ରହିଛନ୍ତି। ଶିକ୍ଷାଗତ ପୃଷ୍ଠଭୂମିରେ ୫୫.୩୦ ପ୍ରତିଶତ ଇଞ୍ଜିନିୟରିଂ, ୨୬.୭୦ ପ୍ରତିଶତ ବାଣିଜ୍ୟ, ୧୦.୩୦ ପ୍ରତିଶତ ବିଜ୍ଞାନ, ୫.୩୦ ପ୍ରତିଶତ କଳା ଓ ମାନବିକ ବିଭାଗ ସହ ଅନ୍ୟାନ୍ୟ ବିଷୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ସେହିପରି କାର୍ଯ୍ୟ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଏହି ବ୍ୟାଚ୍ରେ ନୂତନ ଓ ଅଭିଜ୍ଞ ପ୍ରାର୍ଥୀଙ୍କ ମଧ୍ୟରେ ସନ୍ତୁଳନ ରହିଛି। ଉଦ୍ଘାଟନୀ ସମାରୋହରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ କହିଥିଲେ ଯେ, ଅନୁଷ୍ଠାନର ମୂଳ ମନ୍ତ୍ର ହେଉଛି ନବସୃଜନ, ସତ୍ୟନିଷ୍ଠା ଓ ସମାବେଶୀକରଣ। ଭବିଷ୍ୟତର ଦାୟିତ୍ୱବାନ ଏବଂ ଉଦ୍ୟୋଗୀ ମନୋଭାବ ସମ୍ପନ୍ନ ନେତୃତ୍ୱ ସୃଷ୍ଟି କରିବା ହେଉଛି ଆଇଆଇଏମ୍ ସମ୍ବଲପୁରର ଲକ୍ଷ୍ୟ। ସେ କହିଥିଲେ ଯେ, ପାଠ୍ୟପୁସ୍ତକର ସୀମା ଭିତରେ ନ ରହି ବ୍ୟବସାୟିକ ନେଟୱର୍କିଂ, କୌଶଳଗତ ଆଲୋଚନା, ନିଷ୍ପତ୍ତି ଗ୍ରହଣ, ଚୁକ୍ତି ପରିଚାଳନା ଏବଂ ନବସୃଜନର ବ୍ୟବସାୟୀକରଣ ଭଳି କୌଶଳ ଅର୍ଜନ କରିବା ଆବଶ୍ୟକ। ବିକଶିତ ଭାରତ–୨୦୪୭ର ଲକ୍ଷ୍ୟ ହାସଲ ପାଇଁ ଦେଶର ମୁଣ୍ଡପିଛା ଆୟ ବୃଦ୍ଧି କରିବାରେ ଏଭଳି ପରିଚାଳନା କୌଶଳ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ପିଡବ୍ଲ୍ୟୁସି ଇଣ୍ଡିଆର ଆଡଭାଇଜରି ଲିଡର ଦିନେଶ ଅରୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆଜିର କର୍ପୋରେଟ୍ ଜଗତରେ ସଫଳତା ପାଇଁ ନବସୃଜନ ଏବଂ ପରିବର୍ତନ ସହ ଖାପ ଖୁଆଇବାର କ୍ଷମତା ସବୁଠାରୁ ଅଧିକ ଜରୁରୀ। ସେ ଛାତ୍ରଛାତ୍ରୀଙ୍କୁ କେବଳ ଚାକିରି ପାଇଁ ନୁହେଁ, ବରଂ ବଜାରର ଭବିଷ୍ୟତ ଧାରାକୁ ଆଗୁଆ ଚିହ୍ନଟ କରି ନେତୃତ୍ୱ ଦେବାକୁ ପ୍ରେରଣା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୨୦୦ ଏକର ପରିମିତ ସ୍ଥାୟୀ କ୍ୟାମ୍ପସ ବିଶିଷ୍ଟ ଆଇଆଇଏମ୍ ସମ୍ବଲପୁରର ନୂତନ କ୍ୟାମ୍ପସକୁ ୨୦୨୪ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଉଦ୍ୟୋଗିତା, ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତ୍ତା ଭିତିକ ଶିକ୍ଷା, ଗବେଷଣା ଓ ସାମାଜିକ ଦାୟିତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande