ଘୁ. ଉଦୟଗିରି ଅଂଚଳରେ ହାତୀ ପରେ ଚିତା ବାଘ ଆତଙ୍କ: କୂର୍ମିଙ୍ଗିଆ-ରେଟୁଡ଼ିରେ ଭୟର ବାତାବରଣ
Leopard fear in G. Udayagiri Area of KANDHAMAL
ଫୋଟ


କନ୍ଧମାଳ, ୩୦ ଜୁନ୍(ହି.ସ.) – କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରିରେ ଅଂଚଳ, ହାତୀ ଉପଦ୍ରବରୁ ମୁକୁଳି ନଥିବାବେଳେ ଏବେ ଏହାର କୁର୍ମିଙ୍ଗିଆର ରେଟୁଡ଼ିରେ ଚିତାବାଘ ଚଳପ୍ରଚଳ କରୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଉ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାହା ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ାଇ ଦେଇଛି। ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କୂର୍ମିଙ୍ଗିଆ ଓ ରେଟୁଡ଼ି ଅଂଚଳରେ ଏକ ଚିତାବାଘ ଚଳପ୍ରଚଳ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ମୁତାବକ, ଗତ ୨୮ ତାରିଖ ରାତି ପ୍ରାୟ ୩ଟା ସମୟରେ ରେଟୁଡ଼ି ଗ୍ରାମର ଆଲୋକ ସାହୁଙ୍କ ଘର ନିକଟରୁ ପ୍ରଥମେ ଗୋଟିଏ କୁକୁରକୁ ଶିକାର କରି ନେଇଯାଇଥିଲା। ଏହାର କିଛି ସମୟ ପରେ, ପୁଣି ଏକ କୁକୁରକୁ ମୁହଁରେ ଧରି ନେଉଥିବାବେଳେ ଶ୍ରୀ ସାହୁଙ୍କ ନଜର ପଡ଼ିଥିଲା। କୁକୁରର ଚିତ୍କାର ଶୁଣି ସେ ଘରୁ ବାହାରକୁ ଆସିବାରୁ ସେ କୁକୁରକୁ ଛାଡ଼ି ସେଠାରୁ ଚାଲିଯାଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ବିଶେଷକରି ସନ୍ଧ୍ୟା ପରେ ପିଲାମାନଙ୍କୁ ନେଇ ଅଭିଭାବକମାନେ ଚିନ୍ତିତ ଥିବାବେଳେ ଗୋରୁଗାଈଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏ ନେଇ ବନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅଂଚଳରେ ନା ଅଛି ମାଇକ୍ ପ୍ରଚାର, ନା ଅଛି କୌଣସି ସଚେତନତା କାର୍ଯ୍ୟକ୍ରମ। ବନ ବିଭାଗର ଏଭଳି ଉଦାସୀନତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଘଟଣାର ତଦନ୍ତ କରିବା ସହିତ ଅଂଚଳରେ ନିୟମିତ ପାଟ୍ରୋଲିଂ, ସଚେତନତା ସୃଷ୍ଟି ଏବଂ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande