
ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.) - ଝାରସୁଗୁଡା ଜିଲ୍ଲାରେ ଆସନ୍ତା ଖରିଫ-୨୦୨୬ ଋତୁ ପାଇଁ ଜିଲ୍ଲା କୃଷି ରଣନୀତି ବୈଠକ ଜିଲ୍ଲାପାଳ, ଝାରସୁଗୁଡା କୁଣକ୍ଷଲ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ଝାରସୁଗୁଡା ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାର କୃଷି ରଣନୀତି ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ ପ୍ରଦାନ କରିଥିଲେ।
ଏହି ବୈଠକରେ ସମବାୟ ବିଭାଗର ଉପ-ନିବନ୍ଧକ, କୃଷି ବିଜ୍ଞାନ କେନ୍ଦ୍ର (କଠକ)ର ବୈଜ୍ଞାନିକ, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ, ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଉପସ୍ଥାପନା ସମୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସମ୍ଭାବ୍ୟ ଏଲ୍-ନିନୋ ପ୍ରଭାବ ଏବଂ ସ୍ୱଳ୍ପ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରସ୍ତୁତି ଯୋଜନା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏଥିରେ ବିହନ ସଂରକ୍ଷଣ ନୀତି, କମ୍ୟୁନିଟି ନର୍ସରୀ ସ୍ଥାପନ, ବିରି ଓ ମୁଗ ଭଳି ଅଣଧାନ ଫସଲର ବିହନ ମହଜୁଦ ଏବଂ ଗ୍ରାମ ପଂଚାୟତ ସ୍ତରରେ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଭଳି ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଉପସ୍ଥାପନା ପରେ ଜିଲ୍ଲାପାଳ ଶ୍ରୀ ଚୱାଣ ସମ୍ଭାବ୍ୟ ଏଲ୍-ନିନୋ ଜନିତ ସ୍ୱଳ୍ପ ବର୍ଷା ପରିସ୍ଥିତିକୁ ସଫଳତାର ସହ ସାମ୍ନା କରିବା ପାଇଁ କୃଷି ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେ ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ସମ୍ପୃକ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟକରି ସମସ୍ତ ପ୍ରସ୍ତୁତି ଯୋଜନାକୁ ସମୟୋପଯୋଗୀ ଭାବେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଜଣାଇଥିଲେ।
ବୈଠକରେ ଖରିଫ-୨୦୨୬ ଋତୁ ପାଇଁ କୃଷକମାନଙ୍କୁ ଆବଶ୍ୟକୀୟ କୃଷି ଆଦାନ ସମୟରେ ଯୋଗାଣ, ବୈଜ୍ଞାନିକ ଚାଷ ପଦ୍ଧତିର ପ୍ରସାର, ବିକଳ୍ପ ଫସଲ ଚାଷକୁ ପ୍ରୋତ୍ସାହନ ଏବଂ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିର ମୁକାବିଲା ପାଇଁ ସମନ୍ୱିତ କାର୍ଯ୍ୟଯୋଜନା ଅନୁଯାୟୀ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ