
ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.) - ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମର ଅଗ୍ରଗତି ତଥା କାର୍ଯ୍ୟକାରିତାର ସମୀକ୍ଷା ଉଦ୍ଦେଶ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକ ଆଜି ଝାରସୁଗୁଡ଼ା କଲେକ୍ଟରେଟ୍ ସ୍ଥିତ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଡିଏସ୍ପି ମଧୁ ହାନ୍ସଦା, ଆଂଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ଆଇଏମ୍ଭି ଅମିୟ ରଞ୍ଜନ ପାତ୍ର, ସହକାରୀ ଆଂଚଳିକ ପରିବହନ ଅଧିକାରୀ ତପନ କୁମାର ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ ଶ୍ରୀ ଚୱାଣ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ବିଭାଗ ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିସ୍ତୃତ ଆଲୋଚନା ପରେ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଥିଲା।
ଜିଲ୍ଲାରେ ଯାନଚଳାଚଳକୁ ସୁଗମ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାସ୍ତା ପାର୍ଶ୍ୱରେ ବେଆଇନ ଭାବେ ଗାଡ଼ି ପାର୍କିଂ ବିରୋଧରେ କଡ଼ା ଧରଣର ଏନଫୋର୍ସମେଂଟ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଆଂଚଳିକ ପରିବହନ ଅଧିକାରୀ, ଝାରସୁଗୁଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଜିଲ୍ଲାର ସମସ୍ତ ଶିଳ୍ପ ସଂସ୍ଥାକୁ ସେମାନଙ୍କ ଅଧୀନସ୍ଥ ରାସ୍ତା ପାର୍ଶ୍ୱ ଅଂଚଳରେ ନିୟମିତ ଭାବେ ଡି-ଡଷ୍ଟିଂ ଓ ସଫେଇ କାର୍ଯ୍ୟ କରି ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ପରିଚ୍ଛନ୍ନତା ବଜାୟ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।
ଇବ ନଦୀ ବ୍ରିଜ୍ ନିକଟରେ ବ୍ରେକ୍ଡାଉନ୍ ହୋଇଥିବା ଯାନବାହନଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଆବଶ୍ୟକ ସମୟରେ କ୍ରେନ୍ ସେବା ଉପଲବ୍ଧ କରାଇବାକୁ ଏନ୍ଏଚ୍ଏଆଇ, ସମ୍ବଲପୁର ଏବଂ ଓଏମ୍ପିଏଲ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରସନ୍ନ ପଣ୍ଡା ଛକରୁ ଓଏଭି, ଏଚ୍. କଂଟାପାଲି ପର୍ଯ୍ୟନ୍ତ ହାର୍ଡ ପ୍ଲାଷ୍ଟିକ୍ ରମ୍ବଲ୍ ଷ୍ଟ୍ରିପ୍ (ସ୍ପିଡ୍ ବ୍ରେକ)ର୍ ସ୍ଥାପନ କରିବା ସହ କୁଡ଼ାଲୋଇ ଛକରେ ଏକ ହାଇମାଷ୍ଟ ଲାଇଟ୍ ସ୍ଥାପନ କରି ସଡ଼କ ଦୁର୍ଘଟଣା ରୋକିବାକୁ ଏନ୍ଏଚ୍ଏଆଇ, ସମ୍ବଲପୁରକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରସନ୍ନ ପଣ୍ଡା ଛକରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରମ୍ବଲ୍ ଷ୍ଟ୍ରିପ୍ ସ୍ଥାପନ ଏବଂ ଆର୍ଟିଓ ଛକରୁ ଆଇବି ବ୍ରିଜ୍ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ, ଏନ୍ଏଚ୍ଏଆଇ ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ମିଳିତ ଭାବେ ସ୍ଥଳ ପରିଦର୍ଶନ କରିବାକୁ ଜିଲ୍ଲାପାଳ ଶ୍ରୀ ଚୱାଣ ନିର୍ଦ୍ଦେଶ ଦେଇଥିଲେ।
ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ବେଆଇନ ଭାବେ ସ୍ଥାପିତ ଧାବା, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅତିକ୍ରମଣ ବିରୋଧରେ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ, ଝାରସୁଗୁଡ଼ାଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏନ୍ଏଚ୍ଏଆଇ, ସମ୍ବଲପୁର ଏବଂ ରାଜ୍ୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏଥିସହ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବ୍ରେକ୍ଡାଉନ୍ ଯାନବାହନକୁ ଶୀଘ୍ର ଅପସାରଣ ପାଇଁ ଆବଶ୍ୟକ କ୍ରେନ୍ ଯୋଗାଇ ଦେବାକୁ ଅନୁରୋଧ କରି ପରିବହନ କମିଶନର, ଓଡ଼ିଶାଙ୍କ ନିକଟକୁ ପଠାଇବା ପାଇଁ ଏକ ପ୍ରସ୍ତାବିତ ପତ୍ର ପ୍ରସ୍ତୁତ କରିବାକୁ ଆଂଚଳିକ ପରିବହନ ଅଧିକାରୀ, ଝାରସୁଗୁଡ଼ାଙ୍କୁ ଜିଲ୍ଲାପାଳ ଶ୍ରୀ ଚୱାଣ ନିର୍ଦ୍ଦେଶ ଦେଇଥିଲେ।
ଶେଷରେ ସଡ଼କ ସୁରକ୍ଷାକୁ ଜନଆନ୍ଦୋଳନର ରୂପ ଦେବା ସହ ସମସ୍ତ ସମ୍ପୃକ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ନିଷ୍ପତିଗୁଡ଼ିକର ତ୍ୱରିତ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ