
ନୂଆପଡା,୩୦ ଜୁନ (ହି.ସ.)- ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମ ପଂଚାୟତର ଅମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସୁବିଧା ଭାବେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ବିଦ୍ୟାଳୟ ପରିସରରେ ଥିବା ନଳକୂପ ଗତ ତିନି ମାସ ଧରି ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ମରାମତି ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ପ୍ରତିଦିନ ବିଦ୍ୟାଳୟକୁ ଆସୁଥିବା କୁନି କୁନି ଛାତ୍ରଛାତ୍ରୀ ପିଇବା ପାଣି ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଅଭିଭାବକଙ୍କ କହିବା ଅନୁଯାୟୀ, ସ୍କୁଲରେ ପାଣି ନଥିବାରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟ ଗ୍ରହଣ, ହାତ ଧୋଇବା, ପରିଷ୍କାର-ପରିଚ୍ଛନ୍ନତା ଓ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହେଉଛି। ପାଣି ଆଣିବା ପାଇଁ କେବେ ପଡ଼ୋଶୀ ଘର ତ କେବେ ଦୂର ସ୍ଥାନକୁ ଯିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଅସୁରକ୍ଷିତ ଓ ଅପରିଷ୍କାର ପାଣି ବ୍ୟବହାର କରିବାକୁ ପଡ଼ିଲେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜଳବାହିତ ରୋଗର ଶିକାର ହୋଇପାରନ୍ତି ବୋଲି ଅଭିଭାବକ ଓ ସଚେତନ ମହଲ ଆଶଙ୍କା ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଭବିଷ୍ୟତ ଗଢ଼ାଯାଉଛି, ସେଠାରେ ତିନି ମାସ ଧରି ପାନୀୟ ଜଳ ଭଳି ମୌଳିକ ସୁବିଧା ଅଚଳ ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗର ଦୃଷ୍ଟି କାହିଁକି ପଡ଼ୁନାହିଁ? ଗ୍ରାମବାସୀ ଓ ବୁଦ୍ଧିଜୀବୀମାନଙ୍କ ମତରେ, ଯଦି କୌଣସି ସରକାରୀ କାର୍ଯ୍ୟାଳୟରେ ଦୁଇ ଦିନ ପାଇଁ ପାଣି ବନ୍ଦ ହୋଇଯାଏ, ତେବେ ତୁରନ୍ତ ବ୍ୟବସ୍ଥା ଗ୍ରହଣ୦ କରାଯାଏ। କିନ୍ତୁ ଏଠାରେ ତିନି ମାସ ଧରି ଛାତ୍ରଛାତ୍ରୀଙ୍କ ପାଇଁ ଏକମାତ୍ର ନଳକୂପ ଅଚଳ ରହିଥିବା ସତ୍ୱେ ପ୍ରଶାସନର ନୀରବତା ଦାୟିତ୍ୱବୋଧ ଓ ତଦାରଖ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅମେରା ଗ୍ରାମବାସୀଙ୍କ ଦାବି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତର ସମସ୍ୟାକୁ ଆଉ ଅଣଦେଖା ନ କରାଯାଉ। ବୋଡେନ ବ୍ଲକ ପ୍ରଶାସନ, ପଂଚାୟତ ପ୍ରତିନିଧି ଓ ପାନୀୟ ଜଳ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଅଚଳ ନଳକୂପର ମରାମତି କରି ବିଦ୍ୟାଳୟରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ । ଏନେଇ ବୋଡ଼େନ ବିଡ଼ିଓ ଚିନ୍ମୟ ସାଗରଙ୍କୁ ଯୋଗାଯୋଗ କରାଯିବାରୁ ସେ ତୁରନ୍ତ ନଳକୂପ ମରାମତି ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ