
ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ବେଲପାହାଡ଼ ଧର୍ମଶାଳାପଡ଼ାର ବିଶିଷ୍ଟ ପରିବେଶପ୍ରେମୀ ସୁରେନ୍ଦ୍ର କୁମାର ଭୋଇଙ୍କୁ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ‘ପ୍ରକୃତି ବନ୍ଧୁ ପୁରସ୍କାର–୨୦୨୬’ ପ୍ରଦାନ କରାଯାଇଛି। ୨୦୨୫–୨୬ ବର୍ଷ ପାଇଁ ପ୍ରକାଶିତ ରାଜ୍ୟସ୍ତରୀୟ ଚୟନ ତାଲିକାରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରୁ ସୁରେନ୍ଦ୍ର କୁମାର ଭୋଇଙ୍କ ନାମ ସ୍ଥାନ ପାଇଛି।
ଦୀର୍ଘ ଦିନ ଧରି ପରିବେଶ ସୁରକ୍ଷା, ବୃକ୍ଷରୋପଣ, ସବୁଜ ପରିବେଶ ଗଠନ ଏବଂ ପରିବେଶ ସଚେତନତା ସୃଷ୍ଟି କ୍ଷେତ୍ରରେ ସେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ପ୍ରକୃତି ପ୍ରତି ତାଙ୍କର ନିଷ୍ଠା, ସମାଜକୁ ସଚେତନ କରିବାର ପ୍ରୟାସ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପରିବେଶ ଓ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର?୍ୟ୍ୟ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ‘ପ୍ରକୃତି ବନ୍ଧୁ ପୁରସ୍କାର’ ପ୍ରଦାନ କରାଯାଏ।
ସୁରେନ୍ଦ୍ର କୁମାର ଭୋଇଙ୍କ ଏହି ସଫଳତାକୁ ନେଇ ବେଲପାହାଡ଼, ଧର୍ମଶାଳାପଡ଼ା ଓ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଖୁସିର ଲହରୀ ଦେଖାଦେଇଛି। ବିଭିନ୍ନ ସାମାଜିକ ସଂଗଠନ, ପରିବେଶପ୍ରେମୀ ଏବଂ ବିଶିଷ୍ଟ ବ୍ୟକ୍ତିବର୍ଗ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ଏଭଳି ଅବଦାନ ଜାରି ରହୁ ବୋଲି ଶୁଭେଚ୍ଛା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ