ଧାନ ଉଠାଣ ଦାବିରେ ଡୁଆଝରରେ ଚାଷୀଙ୍କ ରାସ୍ତାରୋକ, ଯାତାୟାତ ଠପ୍
ନୂଆପଡା, ୩୦ ଜୁନ (ହି.ସ.)- ଧାନ ଉଠାଣରେ ବିଳମ୍ବକୁ ନେଇ ଚାଷୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଥିବା ବେଳେ ମଙ୍ଗଳବାର ଖଡ଼ିଆଳ–ସିନାପାଲି ମୁଖ୍ୟ ସଡ଼କର ଡୁଆଝର ଗ୍ରାମ ନିକଟରେ ଚାଷୀମାନେ ରାସ୍ତାରୋକ କରି ଜୋରଦାର ପ୍ରତିବାଦ କରିଛନ୍ତି। ଧାନ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସ୍ଥାୟୀ
Dhana uthana dabire andolan


ନୂଆପଡା, ୩୦ ଜୁନ (ହି.ସ.)- ଧାନ ଉଠାଣରେ ବିଳମ୍ବକୁ ନେଇ ଚାଷୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଥିବା ବେଳେ ମଙ୍ଗଳବାର ଖଡ଼ିଆଳ–ସିନାପାଲି ମୁଖ୍ୟ ସଡ଼କର ଡୁଆଝର ଗ୍ରାମ ନିକଟରେ ଚାଷୀମାନେ ରାସ୍ତାରୋକ କରି ଜୋରଦାର ପ୍ରତିବାଦ କରିଛନ୍ତି। ଧାନ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସକାଳୁ ଶତାଧିକ ଚାଷୀ ରାସ୍ତା ଉପରେ ବସି ଧାନ ଉଠାଣରେ ହେଉଥିବା ଅବହେଳା ବିରୋଧରେ ସ୍ଲୋଗାନ ଦେଇଥିଲେ। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା ଏବଂ ସାଧାରଣ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଚାଷୀମାନଙ୍କ କହିବା ଅନୁସାରେ, ମଣ୍ଡିରେ ଦୀର୍ଘଦିନ ଧରି ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ବାରମ୍ବାର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉନାହିଁ। ବର୍ଷା ଆରମ୍ଭ ହୋଇଥିବାରୁ ଧାନ ଭିଜି ନଷ୍ଟ ହେବାର ଆଶଙ୍କା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ଏହା ଦ୍ୱାରା ସେମାନଙ୍କ ଆର୍ଥିକ କ୍ଷତି ହେବା ସହ ଋଣ ପରିଶୋଧରେ ମଧ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ଚାଷୀମାନେ କହିଛନ୍ତି। ରାସ୍ତାରୋକ ଖବର ପାଇ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଚାଷୀଙ୍କ ଦାବି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଚାଷୀମାନେ ସତର୍କ କରି କହିଛନ୍ତି ଯେ, ଯଦି ଖୁବଶୀଘ୍ର ମଣ୍ଡିରୁ ଧାନ ଉଠାଣ ଆରମ୍ଭ ନହୁଏ, ତେବେ ଆଗାମୀ ଦିନରେ ସେମାନେ ଆହୁରି ବ୍ୟାପକ ଆନ୍ଦୋଳନ କରିବେ। ଧାନ ଉଠାଣ ସମସ୍ୟାକୁ ନେଇ ଅଞ୍ଚଳରେ ଚାଷୀଙ୍କ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେଉଥିବାରୁ ପ୍ରଶାସନ କିପରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande