
ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.) - ବେଲପାହାଡ଼ ପୌରପାଳିକା ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ର କରି ଚାଲିଥିବା ବିବାଦରେ ମଙ୍ଗଳବାର ଓଡ଼ିଶା ହାଇକୋର୍ଟରୁ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଆସିଛି। ମାମଲାର ଶୁଣାଣି ପରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ସ୍ଥଗିତାଦେଶର ଅବଧିକୁ ଆହୁରି ଦୁଇ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି।
ଏହାଫଳରେ ଅନାସ୍ଥା ପ୍ରସ୍ତାବର ଚୂଡ଼ାନ୍ତ ଫଳାଫଳ ଘୋଷଣା ଉପରେ ଲାଗିଥିବା ରୋକ୍ ବଳବତର ରହିବ। ମାମଲାର ପରବର୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୪ ତାରିଖରେ ହେବାକୁ ଧାର୍ଯ୍ୟ କରାଯାଇଛି।
ବେଲପାହାଡ଼ ପୌରପାଳିକାର ଏହି ବହୁଚର୍ଚ୍ଚିତ ଅନାସ୍ଥା ବିବାଦ ବର୍ତମାନ ସମ୍ପୂର୍ଣ୍ଣ ଭାବେ ଆଇନଗତ ପ୍ରକ୍ରିୟାରେ ପ୍ରବେଶ କରିଥିବାବେଳେ, ହାଇକୋର୍ଟଙ୍କ ସଦ୍ୟ ଆଦେଶ ରାଜନୈତିକ ମହଳରେ ନୂଆ ଚର୍ଚ୍ଚାର ସୃଷ୍ଟି କରିଛି। ଅନ୍ତରୀଣ ଆଦେଶ ପରେ ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବାବେଳେ, ବିରୋଧୀ ଶିବିରରେ ନିରାଶା ପ୍ରକାଶ ପାଇଛି।
ଏହି ମାମଲାକୁ ନେଇ ଜିଲ୍ଲାର ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଜୁଲାଇ ୧୪ରେ ହେବାକୁ ଥିବା ପରବର୍ତୀ ଶୁଣାଣି ଓ ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ରାୟ ବେଲପାହାଡ଼ ପୌରପାଳିକାର ନେତୃତ୍ୱ ଏବଂ ସ୍ଥାନୀୟ ରାଜନୀତିର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିପାରେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ