
ସମ୍ବଲପୁର, ୩୦ ଜୁନ୍ (ହି.ସ.)- ସମ୍ବଲପୁର ଭିମସାରର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚାଲିଥିବା ତଲାସୀ ବେଳେ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଶ୍ୱିନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଅଦ୍ଯାବଧି ପ୍ରାୟ ୬,୫୦୦ ବର୍ଗଫୁଟ୍ ବିଶିଷ୍ଟ ନିର୍ମାଣାଧୀନ ଚାରି ମହଲା କୋଠା ସମ୍ବଲପୁର ଜିଲ୍ଲା ବୁର୍ଲାର ସୌରଭ ବିହାରରେ ଠାବ ହୋଇଛି। ଏହା ବ୍ୟତୀତ ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଗୋଟିଏ କୋଠାଘର, ବରଗଡ଼ ଜିଲ୍ଲାର ଗୋବିନ୍ଦପାଲିରେ ଆଉ ଗୋଟିଏ କୋଠାଘର ଏବଂ ବୁର୍ଲା ସହରରେ ଗୋଟିଏ ଷ୍ଟୋର ରୁମ୍ ମଧ୍ୟ ଠାବ କରାଯାଇଛି।
ସେହିପରି ମୋଟ ୧୦ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି। ସେଥିମଧ୍ୟରୁ ବୁର୍ଲାରେ ୬ଟି, ସମ୍ବଲପୁରରେ ୨ଟି ଏବଂ ବରଗଡ଼ରେ ୨ଟି ପ୍ଲଟ୍ ରହିଥିବା ଜଣାପଡିଛି। ଏହି ସମସ୍ତ କୋଠାଘର, ପ୍ଲଟ୍ ଓ ଷ୍ଟୋର ରୁମ୍ ର ମାପଜୋଖ ଓ ମୂଲ୍ୟାୟନ କାର୍ଯ୍ୟ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ଜାରି ରହିଛି।
ଏଥିସହ ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶର ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ, ୨ଟି ଦୁଇଚକିଆ ଯାନ ମଧ୍ୟ ଠାବ କରାଯାଇଛି। ଭିଜିଲାନ୍ସ ବିଭାଗର ତଲାସୀ ଏବେ ବି ଜାରି ରହିଛି। ତଦନ୍ତ ଶେଷ ହେବା ପରେ ଆହୁରି ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ