
ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୱlଣଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ମୁନିସିପାଲିଟି ଅଞ୍ଚଳରୁ ଚୟନୀତ ୨୦ ଜଣ ପିତୃମାତୃହୀନ ଛାତ୍ରଛାତ୍ରୀ ଆଜି ରାଜ୍ୟର ପ୍ରମୁଖ ଆତିଥ୍ୟ ଓ ହୋଟେଲ ପରିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (ଏସଆଇଏଚଏମ), ବଲାଙ୍ଗୀରରେ ନାମଲେଖା ଓ ପ୍ରଶିକ୍ଷଣ ଗ୍ରହଣ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରି ସ୍ୱାବଲମ୍ବୀ ହେବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚୟନୀତ ଛାତ୍ରଛାତ୍ରୀମାନଙ୍କୁ ଏସ ଆଇ ଏଚ ଏମ ବଲାଙ୍ଗୀର ପଠାଯାଇଛି।
ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ନିଷ୍ଠା, ଅଧ୍ୟବସାୟ ଓ ପରିଶ୍ରମର ସହିତ ପ୍ରଶିକ୍ଷଣ ଗ୍ରହଣ କରି ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହିତ ଝାରସୁଗୁଡ଼ା ଜିଲ୍ଲାର ଗୌରବ ବୃଦ୍ଧି କରିବେ ବୋଲି କାମନା କରିଥିଲେ l ଏହି ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମନିୟୋଜନ ଅଧିକାରୀ ସଙ୍ଗୀତା ମେହେରଙ୍କ ସମନ୍ୱୟରେ ସମ୍ପାଦିତ ହୋଇଥିଲା। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଚୂଡ଼ାମଣି ପଣ୍ଡା ନିଜେ ଛାତ୍ରଛାତ୍ରୀମାନଙ୍କ ସହ ବଲାଙ୍ଗୀର ଯାଇ ସେମାନଙ୍କ ନାମଲେଖା ପ୍ରକ୍ରିୟାକୁ ସୁନିଶ୍ଚିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହି ୨୦ ଜଣ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ପ୍ରଚଳିତ ଯଶୋଦା ଯୋଜନା, ଗ୍ରୀନ୍ ପ୍ୟାସେଜ୍ ଯୋଜନା ଏବଂ ଦକ୍ଷତା ବିକାଶ ଯୋଜନା ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରୁ ଉପକୃତ ହୋଇ ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଜିଲ୍ଲା ପ୍ରଶାସନ ସୁନିଶ୍ଚିତ କରିଛନ୍ତି l ଦକ୍ଷତା ବିକାଶ, ଗୁଣାତ୍ମକ ପ୍ରଶିକ୍ଷଣ ଏବଂ ରୋଜଗାରମୁଖୀ ଶିକ୍ଷା ମାଧ୍ୟମରେ ପିତୃମାତୃହୀନ ତଥା ଅସହାୟ ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଏକ ଉଲ୍ଲେଖନୀୟ ଏବଂ ମାନବିକ ପ୍ରୟାସ। ଏହା ମାଧ୍ୟମରେ ଏହି ଛାତ୍ରଛାତ୍ରୀମାନେ ନିଜ ଜୀବନରେ ସଫଳତା ହାସଲ କରିବା ସହ ରାଜ୍ୟର ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଭାବେ ପ୍ରତିଷ୍ଠିତ ହେବେ ବୋଲି ଜିଲ୍ଲା ପ୍ରଶାସନ ଆଶାବ୍ୟକ୍ତ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ