



ସମ୍ବଲପୁର, ୩୦, ଜୁନ୍ (ହି.ସ.) ସାଧାରଣ ଜଣାଶୁଣା ଆୟର ଉତ୍ସଠାରୁ ଅଧିକ ପରିମାଣର ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ବୁର୍ଲା ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର-କମ୍-ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ଗୁରୁତର ସୁରାକ୍ ମିଳିଛି । ଏଣୁ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ କରାଯାଉଛି।
ଭିଜିଲାନ୍ସ ଟିମ୍ ଧନୁର୍ଦ୍ଧର ବିଶ୍ୱାଳଙ୍କ ସମ୍ବଲପୁର ଧନକଉଡା ସ୍ଥିତ ଦୁଇ ମହଲା ବାସଭବନ, ଗୁଡ଼େସିଙ୍ଗାସ୍ଥିତ ଏକ କୋଠା, ବୁର୍ଲା ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ସରକାରୀ କ୍ୱାର୍ଟର ଏବଂ ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷରେ ଭିଜିଲାନ୍ସ ତଲାସୀ ଚଳାଇଛି।
ତଲାସୀ ବେଳେ ଧନକଉଡା ସ୍ଥିତ ବାସଭବନରୁ ବାବୁଙ୍କର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଅବସ୍ଥାରେ କିଣାକିଣି କରିଥିବା ମୂଲ୍ୟବାନ ଜମି କାଗଜାତ, ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ, ୨ଶହ ଟଙ୍କିଆ, ଶହେ ଟଙ୍କିଆ, ୫୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟ ବିଡା ସହ ସୁନା ଗହଣା ବାହାରିବା ଦେଖି ତନଖିକାରୀ ଦଳ ମଧ୍ୟ ହତବାକ୍ ହୋଇ ପଡିଛନ୍ତି । ତେବେ ସମସ୍ତ ଯାଞ୍ଚ୍ କାର୍ଯ୍ୟ ସରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପୂର୍ଣ୍ଣାଙ୍ଗ ସୂଚନା ମିଳିପାରିବ ବୋଲି ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ