

ସମ୍ବଲପୁର, ୩୦ ଜୁନ୍ (ହି.ସ.)- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବୁର୍ଲା ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଚଢ଼ଉ କରିଛି । ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଅଶ୍ବିନୀଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ପୃଥକ୍ ଘର ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଏହି ଚଢ଼ଉ କରାଯାଉଛି।
ଭିଜିଲାନ୍ସ ଟିମ୍ ବୁର୍ଲାସ୍ଥିତ ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ଅଶ୍ବିନୀଙ୍କ ସରକାରୀ କ୍ୱାର୍ଟର, ସୌରଭ ବିହାରରେ ନିର୍ମାଣାଧୀନ ଚାରି ମହଲା କୋଠା, ବୁର୍ଲାର ପଠାନ୍ ବନ୍ଧରେ ଥିବା ଏକ କୋଠା, ବରଗଡ଼ ଜିଲ୍ଲା ଗୋବିନ୍ଦପାଲିରେ ଥିବା ଅନ୍ୟ ଏକ କୋଠା ଏବଂ ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷରେ ତଲାସୀ ଚଳାଇଛି।
ତଲାସୀ ବେଳେ ନିଜ ସାଧାରଣ ରୋଜଗାର ଠାରୁ ଯଥେଷ୍ଟ ଅଧିକ ପରିମାଣର ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ମୂଲ୍ୟବାନ ଆସବାବପତ୍ରର ପ୍ରକୃତ ଉତ୍ସ କ'ଣ ସେ ନେଇ ଭିଜିଲାନ୍ସର ଚଢ଼ଉ ଜାରି ରହିଥିବା ବେଳେ ପୂର୍ଣ୍ଣାଙ୍ଗ ତଦନ୍ତ ପରେ ଅଶ୍ୱିନୀଙ୍କ ଘରୁ କେତେ ପରିମାଣର କ'ଣ କ'ଣ ଜବତ ହେଲା ତାହା ସ୍ପଷ୍ଟ ହୋଇପାରିବ । ବର୍ତ୍ତମାନ ସୁଦ୍ଧା ବୁର୍ଲା ସୈ।ରଭ ବିହାର ସ୍ଥିତ ନବନିର୍ମିତ ତିନିମହଲା କୋଠା ବେଶ୍ ଚର୍ଚ୍ଚାରେ ରହିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ