

ସମ୍ବଲପୁର, ୩୦ ଜୁନ୍(ହି.ସ.) – ସମ୍ବଲପୁରରେ ଖରିଫ ଋତୁ ଆରମ୍ଭ ନ ହେଉଣୁ ସାର ଅଭାବକୁ ନେଇ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ପ୍ରତିବାଦରେ ଆଜି ଚାଷୀମାନେ ସମ୍ବଲପୁର କୃଷି କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ସରକାରୀ ବ୍ୟବସ୍ଥାରେ ପ୍ରାୟ ୬୦ ପ୍ରତିଶତ ସାର ସେବା ସମବାୟ ସମିତି ମାଧ୍ୟମରେ ଏବଂ ଅବଶିଷ୍ଟ ୪୦ ପ୍ରତିଶତ ବେସରକାରୀ ଡିଲରଙ୍କ ଜରିଆରେ ବିକ୍ରି କରାଯାଉଛି। କିନ୍ତୁ ସମବାୟ ସମିତିଗୁଡ଼ିକରେ ସାରର ଘୋର ଅଭାବ ଥିବାବେଳେ ବେସରକାରୀ ଡିଲରମାନେ ଅଧିକ ଦାମରେ ସାର ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ, କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଚାଷୀମାନେ ଆଜି କୃଷି କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ