
ଧର୍ମଶାଳା,୩୦ ଜୁନ୍(ହି.ସ.) - ଅସରାଏ ବର୍ଷା ଜଳରେ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ଯାତାୟତ ନିମନ୍ତେ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ଓ ଧର୍ମଶାଳା ବ୍ଲକକୁ ସଂଯୋଗ କରୁଥିବା ବ୍ରହ୍ମବରଦା-ଉତରପ୍ରତାପ ମୁଖ୍ୟ ରାସ୍ତା କ୍ଷେତ୍ରରେ । ପାଣିକୋଇଲି ପୂର୍ତ ବିଭାଗ ଅଧିନରେ ଥିବା ଧର୍ମଶାଳା ବ୍ଲକ ଉତରପ୍ରତାପଠାରୁ ମଙ୍ଗଳପୁର ପଂଚାୟତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ପାଖାପାଖି ୨ ବର୍ଷ ପୂର୍ବେ ବ୍ୟୟ ଅଟକଳ କରାଯାଇ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ୪ କିମି ରାସ୍ତା ପାଇଁ ପାଖାପାଖି କୋଟିଏ ଟଙ୍କା ଅଟକଳ କରାଯାଇଥିଲା । ଏହି ରାସ୍ତାକୁ ୨ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ରାସ୍ତା ଅଧପନ୍ତରିଆ ହୋଇପଡିଛି । କାଁ ଭାଁ କେଉଁଠି ପିଚୁ ତ କେଉଁଠି କଂକ୍ରିଟ୍ ରାସ୍ତା କରାଯାଇଥିବା ବେଳେ ବହୁ ସ୍ଥାନରେ କାମ ଅଧପନ୍ତରିଆ ହୋଇ ପଡରହିିଛି । ସେପଟେ ବିନା ସୂଚନା ଫଳରେ କାମ କରାଯାଉଥିବା ବେଳେ ଜନସାଧାରଣ କାର୍ଯ୍ୟର ଅବଧି ଶେଷ ସମୟ ଜାଣି ନ ପାରିବାରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ପାରୁ ନାହାନ୍ତି । ଏହି ଅଧପନ୍ତରିଆ ରାସ୍ତାରେ ସ୍ଥାନୀୟ ଜନସାଧାରଣ ଯାତାୟତ ନିମନ୍ତେ ସୁରକ୍ଷା ମଣୁ ନାହାନ୍ତି । ଏପରିକି ଅନେକ ସମୟରେ ଦୃର୍ଘଟଣାର ସମ୍ମୁଖୀନ ହେଉଥିବା ମଧ୍ୟ ନଜିର ରହିଛି । ଅନେକ ସ୍ଥାନରେ କଲର୍ଭଟ କାମ ଅଧାରେ ପଡି ରହିଥିବା ବେଳେ ମୁଖ୍ୟ ରାସ୍ତା ମଝିରେ ଗଛ ଓ ବିଦ୍ୟୁତ୍ ଖଂଟ ରହିଥିବାରୁ ରାସ୍ତା ସେହି ଭଳି ପଡି ରହିଛି । ଯାହାକି ରାସ୍ତା ସମ୍ପ୍ରସାରଣରେ ବାଧା ଉପୁଜିଛି । ସେପେଟ ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତରୁ ରସୁଲପୁର ବ୍ଲକକୁ ସଂଯୋଗ କରୁଥିବା ବ୍ରହ୍ମବରଦାର ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡିଛି । ମାତ୍ର ସୀମା ପାଇଁ ଏହି ୧ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡି ରହିଛି । ଏହା ଦୀର୍ଘ ଦିନ ହେବ ମରାମତି ନ ହେବାରୁ ରାସ୍ତାରେ ଖାଲଖମା ହୋଇ ବର୍ଷା ପାଣି ଜମି ରହୁଛି । ଯାହାକି ଯାତାୟତ କରିବା ପାଇଁ ବୃଦ୍ଧବୃଦ୍ଧା ଓ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ ତୁରନ୍ତ ସମ୍ପ୍ରସାରଣ ଓ ମରାମତି ପାଇଁ ଉଭୟ ବ୍ରହ୍ମବରଦା ଓ ମଙ୍ଗଳପୁର ପଂଚାୟତବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ