
ପୁରୀ, ୩୦ ଜୁନ୍ (ହି.ସ.)- ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଯାତ୍ରାକୁ ସୁରକ୍ଷିତ, ସୁଗମ ଏବଂ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ପକ୍ଷରୁ ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ରାସ୍ତା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଯାନବାହନ ଯାଞ୍ଚ ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ମୋଟରଯାନ ଆଇନ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ମୋଟ ୯୫ଟି ଚାଲାଣ କଟାଯାଇ ୯ ଲକ୍ଷ ୮୫ ହଜାର ୯୧୫ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ଅତ୍ୟଧିକ ଯାତ୍ରୀ ପରିବହନ, ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଭଡ଼ା ଆଦାୟ, ବିନା ଲାଇସେନ୍ସ କିମ୍ବା ବୈଧ କାଗଜପତ୍ରରେ ଯାନ ଚଳାଚଳ ଏବଂ ମୋଟରଯାନ ଆଇନର ଅନ୍ୟାନ୍ୟ ଉଲ୍ଲଂଘନ ବିରୋଧରେ ଏହି କଡ଼ା ପ୍ରବର୍ତ୍ତନ କରାଯାଇଛି।
ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଯାତାୟାତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ |
ହିନ୍ଦୁସ୍ଥାନ ସମାଚାର / ବିଜୟ