
କେନ୍ଦ୍ରାପଡ଼ା, ୦୪ ଜୁନ୍(ହି.ସ.) – ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସକ୍ରିୟ କାର୍ଯ୍ୟକର୍ତାଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ସଦର ମହକୁମାଠାରେ ଆଗାମୀ ଜୁନ୍ ୧୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଜୁନ୍ ୧ ତାରିଖ ଠାରୁ ଜୁନ୍ ୧୦ ତାରିଖ ପର୍ୟ୍ୟନ୍ତ ଦଳରେ ଅଧିକରୁ ଅଧିକ ସଦସ୍ୟ ଯୋଡିବା ନିମନ୍ତେ ଅଭିଯାନ ଜାରି ରହିବ। ଜୁନ୍ ୧୦ ତାରିଖରେ ସମସ୍ତ ୱାର୍ଡର ନୂଆ ଏବଂ ପୁରୁଣା ସଦସ୍ୟଙ୍କୁ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ମ୍ୟୁନିସିପାଲିଟି ଏବଂ ପଂଚାୟତ ସ୍ତରରେ ଦଳୀୟ ସଂଗଠନକୁ ପହଂଚାଇବା ନିମନ୍ତେ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯିବ। ଜୁନ୍ ମଧ୍ୟ ଭାଗରେ ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍ ଦ୍ୱାରା ନିଯୁକ୍ତ ସହ ପ୍ରଭାରୀଙ୍କ ମାର୍ଗ ଦର୍ଶନରେ ପ୍ରସ୍ତୁତ ଯୋଜନାକୁ କିପରି ସଫଳକାମୀ କରାଯାଇ ପାରିବ ସେଥି ନିମନ୍ତେ ଏହି ପ୍ରସ୍ତୁତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ସଦସ୍ୟ ଯୋଡ଼ ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତ କାର୍ଯ୍ୟକର୍ତା ନିଜର ଅଧିକ ସମୟ ଓ ପରିଶ୍ରମ ବିନିଯୋଗ କରିବା ପାଇଁ ରାଜ୍ୟ ସଂଗଠନ ସମ୍ପାଦକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶ୍ରୀ ସନ୍ଦୀପ୍ତ ଦାସ୍ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ପରିଡ଼ା ନିବେଦନ କରିଛନ୍ତି। ସମସ୍ତ ଗଣ ମାଧ୍ୟମ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ପୋଷ୍ଟର ଓ ପ୍ରଚାର ପତ୍ର ମାଧ୍ୟମରେ ଏହି ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନରେ ଯୋଡ଼ି ହେବା ପାଇଁ ୭୮୫୫୮୭୩୧୦୯ ନମ୍ବରରେ ଯୋଗାଯୋଗ କରିବାକୁ ମଧ୍ୟ ଜିଲ୍ଲା ସଂଗଠନ ତରଫରୁ ଅନୁରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କାର୍ୟ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କୁ ରାଜ୍ୟ ସଂଗଠନ ସମ୍ପାଦକ ତଥା ଜିଲ୍ଲା ସଭାପତି ସଂନ୍ଦୀପ୍ତ ଦାସ ସମ୍ବୋଧନ କରିଥିଲେ। ଏହି ସମ୍ମିଳନୀରେ ପାର୍ଟିର ଜିଲ୍ଲା ଉପସଭାପତି ଶ୍ରୀ ବାନାମ୍ୱର ସାହୁ, ସଂଗଠନ ସମ୍ପାଦକ ଶ୍ରୀ କୁମୁଦ ରାଉତ, କାର୍ଯ୍ୟକର୍ତା ଶ୍ରୀ ପ୍ରକାଶ କୁମାର ସେଠୀ, ରୁଦ୍ର ପ୍ରଶନ୍ନ ବେହେରା, ଆଇଏସ୍ ଖାଁ ଓ ସୋହନା ବିବି ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି