
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ
ପୁରୀ , 07 ଜୁନ୍ (ହି.ସ.) କୁମ୍ଭାରପଡାସ୍ଥିତ ଶ୍ରୀ ଶ୍ରୀ ବୁଢ଼ା ବାନାମ୍ବର ଦେବଙ୍କ ଚତୁର୍ଦିବସୀୟ ପ୍ରଥମ ବାର୍ଷିକ ବିଶ୍ୱଶାନ୍ତି ମହାଶୈବ୍ୟ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗତ ୩ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ଶନିବାର ଦିନ ଶେଷ ହୋଇଛି।
ପ୍ରଥମ ଦିବସରେ ଅଙ୍କୁରାରୋପଣ, ଶାଲା ଶୋଧନ, ମଙ୍ଗଳାର୍ପଣ, ମଣ୍ଡଳାଧିବାସ ସହିତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ରେ ଶତାଧିକ ବ୍ରତଧାରୀ ଇନ୍ଦ୍ରଦ୍ୟୁମ୍ନ ସରୋବରରୁ ଜଳ ସଂଗ୍ରହ କରିଥିଲେ। ପଣ୍ଡିତ ରଘୁନାଥ ଦାଶଙ୍କ ପୌରୋହିତ୍ୟରେ ୫ଜଣ ଶୋସ୍ତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା
ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତ୍ୟହ ଗଣପତ୍ୟାହ ପଞ୍ଚକର୍ମ ପରେ ସୂର୍ଯ୍ୟ ପୂଜା, ଗୋ ପୂଜା ଶାଲାଦ୍ୱାର ପୂଜା, ପତାକା ଉତ୍ସର୍ଗ, ସୌରାଗ୍ନି ଗ୍ରହଣ, ଅଙ୍କୁରାନୟନ, କରକା ଭ୍ରମଣ ଶୈବାଗ୍ନି ସଂସ୍କାର, ମଣ୍ଡଳ ପୂଜା, ଆଳତୀ, ପୁଷ୍ପାଞ୍ଜଳି, ନିଦ୍ରାଘଟ ପୂଜନ, ବଳିକରଣ ଆଦି କାର୍ଯ୍ୟକ୍ରମ ବୈଦିକ ରୀତିରେ ସମ୍ପର୍ଣ୍ଣ ହୋଇଥିଲା। ଶନିବାର ଦିନ ଠାକୁରଙ୍କ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଦୁଇଦିନ ଧରି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୃଷ୍ଣ ମୋହନ ସଂଗୀତ ନୃତ୍ୟ ଏକାଡେମୀ ପକ୍ଷରୁ ସଦାଶିବ ବିଶ୍ୱାଳଙ୍କ ତତ୍ୱାବଧାନ ଏବଂ ଗୁରୁ ସବିତା ପଣ୍ଡାଙ୍କ ନେତୃତ୍ୱ ରେ କୁନି କୁନି କଳାକାର ମାନେ ଓଡିଶୀ ଏବଂ ଭଜନ ନୃତ୍ୟ ପରିବେଷଣ କରିଥିଲେ. ପୂର୍ଣ୍ଣାହୁତି ଦିବସରେ ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସଂଗଠକ ତଥା ସମାଜସେବୀ ଦିଲ୍ଲୀପ ସାହୁ, ରୋହିତ ସ୍ୱାଇଁ, ବିଶ୍ୱନାଥ ବେହେରା, ରଞ୍ଜନ ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ ପୂର୍ବକ ବିଶ୍ୱ ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ। ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ହରିହର ପାଢ଼ୀ, ସଭାପତି ଜଗନ୍ନାଥ ପାଢ଼ୀ,ମୁଖ୍ୟ ପୂଜାରୀ କୃଷ୍ଣ ଚନ୍ଦ୍ର ପାଢ଼ୀ,ସମ୍ପାଦକ ମହେନ୍ଦ୍ର ବିଶୋଇ,କାର୍ଯ୍ୟାଳୟ ଅଧିକାରୀ କୈଳାସ ବିଶୋଇଙ୍କ ସୁପରିଚାଳନା ରେ ଅନୁଷ୍ଠିତ ଏହି ଚାରିଦିନିଆ ମହୋତ୍ସବ ର ଅନ୍ତିମ ଦିବସରେ କୁମ୍ଭାରପଡା ଏବଂ ଆଖପାଖର ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଲୋକ ପ୍ରସାଦ ସେବନ କରିଥିଲେ।ଆଶିଷ କୁମାର ସମର୍ଥା, ବିଶ୍ୱଭୂଷଣ ପାଢ଼ୀ,ବିଶ୍ୱଜିତ ପାଢ଼ୀ, ସୁଦର୍ଶନ ସମର୍ଥା ମଧୁସୂଦନ ସମର୍ଥା, ତ୍ରିନାଥ ପାତ୍ର ,ସୁମୋ ରାଉଳ, ବିକ୍ରମ ପଟ୍ଟନାୟକ ଶିବ ସମର୍ଥା, ଜଳନ୍ଧର ବିଶୋଇ,ବୀର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ