
କେନ୍ଦ୍ରାପଡ଼ା, ୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ପ୍ରିୟଶ୍ଳୋକ ଆର୍ଯ୍ୟ ଫାଉଣ୍ଡେସନ୍ ଟ୍ରଷ୍ଟର ୫ମ ବାର୍ଷିକ ଉତ୍ସବ କୋରୁଆ ସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର କମଲାବେନ୍ ମେହେଟ୍ଟା କନ୍ୟାଶ୍ରମ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ଲଳିତେନ୍ଦୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି କେନ୍ଦ୍ରାପଡା ଏସ୍.ଡି.ପି.ଓ ଜ୍ୟୋତି ରଞ୍ଜନ ଗୌଡା, ମୁଖ୍ୟ ବକ୍ତା ପଣ୍ଡିତ ହୃଷିକେଶ ରଥ, ସମ୍ମାନୀତ ଅତିଥି ପାରାଦ୍ୱୀପ ବନ୍ଦର ନିର୍ମାଣ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଯୋଗଦେଇ ସ୍ୱର୍ଗତ ପ୍ରିୟଶ୍ଳୋକ ଆର୍ଯ୍ୟଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଟ୍ରଷ୍ଟର ସାମଜିକ କାର୍ଯ୍ୟକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ଟ୍ରଷ୍ଟ ତରଫରୁ କୋରୁଆ ସ୍ଥିତ ପଲ୍ଲିଶ୍ରୀ କନ୍ୟାଶ୍ରମର ଅନ୍ତେବାସୀ କନ୍ୟାମାନଙ୍କୁ ପାଠ୍ୟପୁସ୍ତକ, ବେଡସିଟ୍, ଥଣ୍ଟାପାନୀୟ, ବିଭିନ୍ନ ଖାଦ୍ୟ ଉପକରଣ ପ୍ରଦାନ କରାଯାଇଥିଲା । କନ୍ୟାଶ୍ରମର ଅନ୍ତେବାସିନୀ ମାନେ ଚମତ୍କାର ନୃତ୍ୟ ତଥା ସଙ୍ଗୀତ ପରିବେଶଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଟ୍ରଷ୍ଟି ଶୁଭ୍ରାଂଶୁ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତ ପ୍ରିୟଶ୍ଳୋକ ଆର୍ଯ୍ୟଙ୍କର ପିତାମାତା, ମାମୁଁ, ତଥା ସହପାଠୀ ସୂର୍ଯ୍ୟନାରାୟଣ ଦାସ, ଶ୍ରୀକାନ୍ତ ଗ୍ରହାଚାର୍ଯ୍ୟ, ବିବେକାନନ୍ଦ ଆଚାର୍ଯ୍ୟ, ମାନସ ମହାପାତ୍ର, ବଳରାମ ପରିଡା, ରାଜେଶ ମହାନ୍ତି, ଦେବାଶିଷ୍ ମିଶ୍ର, ପ୍ରଭାତ ବାରିକ, ଆଲୋକ ସେଠୀ ଓ ବଳଦେବ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ତ୍ରିପାଠୀ, ସାମ୍ବାଦିକ ପରେଶ ଦାସ ଆଦି ଯୋଗଦେଇଥିଲେ । ଟ୍ରଷ୍ଟି ଶୁଭ୍ରାଂଶ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜସେବୀ ଶ୍ରୀକାନ୍ତ ନାୟକ, ପ୍ରମୋଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ