

ବୌଦ୍ଧ, ୪ ଜୁନ୍ (ହି.ସ.)- କୃଷିପ୍ରଧାନ ବୌଦ୍ଧ ଜିଲାରେ ଦେଖା ଦେଇଛି ଶାଳମଞ୍ଜିର ଅଭାବୀ ବିକ୍ରି l ଜିଲାରେ ହଜାର ହଜାର କୁଇଂଟାଲ ଶାଳମଞ୍ଜି ସଂଗ୍ରହ କରାଯାଉଛି, ମାତ୍ର ଜିଲାରେ ବଜାର କିମ୍ବା ମଣ୍ଡିର ବ୍ୟବସ୍ଥା ନାହିଁ l ମୁଣ୍ଡଝାଳ ତୁଣ୍ଡରେ ମାରି ସକାଳୁ ରାତି ପର୍ଯ୍ୟନ୍ତ ଶାଳମଞ୍ଜି ସଂଗ୍ରହ କରୁଥିବା ନିରୀହ ଆଦିବାସୀମାନେ ଦଲାଲ ମାନଙ୍କୁ ଶାଗମାଛ ମୂଲ୍ୟରେ ବିକ୍ରି କରୁଛନ୍ତି l ସବୁ ଜାଣି ମଧ୍ୟ ପ୍ରଶାସନ ନିଦ୍ରାରେ ରହିଥିବା ଅନୁମାନ କରାଯାଉଛି l ବୌଦ୍ଧ ଜିଲାରେ ଅନେକ ଘଂଚ ଜଙ୍ଗଲ ରହିଛି l ଧାନ ଫସଲକୁ ଛାଡି ଦେଲେ ଜଙ୍ଗଲଜାତ ଲଘୁଦ୍ରବ୍ୟ ସଂଗ୍ରହ ଲୋକଙ୍କ ଜୀବିକା ନିର୍ଵାହର ଅନ୍ୟତମ ମାଧ୍ୟମ ଅଟେ l ବୌଦ୍ଧ ଜିଲାରେ ଅନ୍ୟତମ ଜଙ୍ଗଲଜାତ ଲଘୁଦ୍ରବ୍ୟ ଶାଳମଞ୍ଜି ପ୍ରଚୁର ପରିମାଣରେ ଉତ୍ପାଦନ ହୋଇଥାଏ l ମାତ୍ର ଏନେଇ ଜିଲା ପ୍ରଶାସନ ପାଖରେ କୌଣସି ତଥ୍ୟ ଥିବା ପରି ମନେ ହେଉନାହିଁ l ରାଜ୍ୟ ସରକାର ଜଙ୍ଗଲଜାତ ଲଘୁଦ୍ରବ୍ୟର କ୍ରୟଵିକ୍ରୟର ଅନୁମତି ଦେବା ଓ ତଥ୍ୟ ରଖିବା ଅଧିକାର ପଂଚାୟତରାଜ ବିଭାଗ ଓ ପଂଚାୟତ ଗୁଡିକୁ ଦେଇଦେଇଛନ୍ତି l ଜିଲାର ପଂଚାୟତରାଜ ବିଭାଗ ବାର୍ଷିକ ଏକ ରିପୋର୍ଟ ବନବିଭାଗକୁ ଦେବାର ନିୟମ ରହିଥିଲେ ମଧ୍ୟ ସେମାନେ ତାହା ଦେଉନଥିବାରୁ ବନ ବିଭାଗ ପାଖରେ ମଧ୍ୟ କୌଣସି ସଠିକ ଖବର ନଥିବା କହିଛନ୍ତି ବନଖଣ୍ଡ ଅଧିକାରୀ l
ଅନ୍ୟପକ୍ଷରେ ଜିଲାରେ ଚଳିତ ବର୍ଷ ଶାଳମଞ୍ଜି ଭଲ ଉତ୍ପାଦନ ହୋଇଥିବା ଓ ଶହଶହ ଲୋକେ ସଂଗ୍ରହ କରୁଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ l ବୌଦ୍ଧ ଜିଲାର ହରଭଂଗା ଓ କଣ୍ଟାମାଲ ବ୍ଲକରେ ବିଶେଷ ଭାବେ ଏହା ସଂଗ୍ରହ ହୋଇଥାଏ l ସେଥିମଧ୍ୟରେ ମାଧପୁର, ପୁରୁଣାକଟକ, ନାରାୟଣଃପ୍ରସାଦ, ବଲମତୁମ୍ବା, ମାଲତୀ ଗୋଛାପଡା ଭଳି ଅନେକ ବନାଞ୍ଚଳ ରହିଛି l ବଢୁନାହିଁ ଶାଳମଞ୍ଜିର ସରକାରୀ ଦର, ଶାଗମାଛ ମୂଲ୍ୟରେ ବିକ୍ରି କରୁଛନ୍ତି ଲୋକେ l ବଜାର ଓ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲମାନେ ଏମାନଙ୍କଠୁ କମ୍ ଦରରେ କିଣି ଅଧିକ ଦରରେ ବିକ୍ରି କରୁଛନ୍ତି । ଅର୍ଥାତ ଘରେ ବସି ଦଲାଲ ମାଲାମାଲ୍ । କୋଟି କୋଟି ଟଙ୍କାର ଜଙ୍ଗଲୀ ଫୁଲ । ଜଙ୍ଗଲ ଓ ରାସ୍ତା ସାରା ପଡ଼ିଛି, ଲୋକେ ଗୋଟାଇବାରେ ବ୍ୟସ୍ତ । ଯେଉଁଥିରୁ ମଞ୍ଜି ବାହାର କରି ବିକ୍ରି କରିବେ ଏବଂ ଦୁଇ ପଇସା ରୋଜଗାର କରିବେ । ସରକାର ଶାଳମଞ୍ଜି ଏମ୍ଏସପି କିଲୋ ପିଛା ୨୦ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ସରକାର ଜିଲାରେ କ୍ରୟ କରୁନଥିବାରୁ ଗାଁ ଗାଁରେ ମାତିଲେଣି ଦଲାଲ୍ । ୫ ବର୍ଷ ହେଲାଣି ସରକାର ବଢ଼ାଇ ନାହାନ୍ତି ଶାଳ ମଞ୍ଜିର ସର୍ବନିମ୍ନ ସହାୟକ ମୂଲ୍ୟ । ୨୦୨୦ରେ ଯେଉଁ ୨୦ ଟଙ୍କା ପ୍ରତି କିଲୋ କିଣାଯାଉଥିଲା ଏବେ ବି ସେହି ଦାମ୍ । କିନ୍ତୁ ବସ୍ତା ଧରି ଶାଳ ମଞ୍ଜି ସଂଗ୍ରହ କରୁଥିବା ଲୋକମାନଙ୍କୁ କିଲୋ ପିଛା ମିଳିବ ୮ ରୁ ୧୦ ଟଙ୍କା । ଶାଳମଞ୍ଜି ଆଦିବାସୀମାନଙ୍କ ଏକ ପ୍ରମୁଖ ଉପାର୍ଜନର ମାଧ୍ୟମ ସାଜିଛି। ଆଦିବାସୀମାନେ ସପରିବାରେ ଏକ ମାସ ଧରି ଶାଳଫୁଲରୁ ମଞ୍ଜି ସଂଗ୍ରହ କରୁଛନ୍ତି। ମାତ୍ର ମଞ୍ଜି ସଂଗ୍ରହ ପରେ ବଜାର ଅଭାବରୁ ସ୍ଥାନୀୟ ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମଞ୍ଜି ସଂଗ୍ରହକାରୀ ପରିଶ୍ରମ ତୁଳନାରେ ମୂଲ୍ୟ ପାଉ ନଥିବା ବେଳେ ବ୍ୟବସାୟୀ ମାଲାମାଲ ହେଉଛନ୍ତି। ପରିବାରର ମହିଳା ପୁରୁଷ ବହୁ ପରିଶ୍ରମ କରି ମଞ୍ଜି ସଂଗ୍ରହରେ ଲାଗିଥାଆନ୍ତି। ପରେ ଦଲାଲ ମାନଙ୍କୁ ଏହାକୁ କିଲୋ ପ୍ରତି ୮ ରୁ ୧୦ ଟଙ୍କା ଦରରେ ବିକ୍ରି କରିଥାଆନ୍ତି। କେତେକ ସ୍ଥାନରେ ଟିଣ ପ୍ରତି ୧୫୦ ରୁ ୨୦୦ ଟଙ୍କାରେ ମଧ୍ୟ ଦଲାଲମାନେ କିଣିଥାଆନ୍ତି। ଜିଲାରେ ପ୍ରଚୁର ଶାଳ ଗଛ ଥିବାରୁ ଆଦିବାସୀମାନେ ଶାଳମଞ୍ଜିକୁ ମୁଖ୍ୟ ଉପାର୍ଜନର ମାଧ୍ୟମ କରିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଶାଳ ମଞ୍ଜି କିଣିବାର କୌଣସି ବ୍ୟବସ୍ଥା ନ ଥିବାରୁ ସଂଗ୍ରହକାରୀମାନେ ବାଧ୍ୟ ହୋଇ ବ୍ୟବସାୟୀଙ୍କ ହାତରେ ମଞ୍ଜିକୁ କମ ଦରରେ ଟେକି ଦେଉଛନ୍ତି। ଶାଳମଞ୍ଜି ଆଦିବାସୀମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରୁଥିବାରୁ ଏଥିପ୍ରତି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି l
ହିନ୍ଦୁସ୍ଥାନ ସମାଚାର / ସମ୍ପତ