
କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ମିତ୍ର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଛଟେଇ କରିବାକୁ ନିର୍ଦ୍ଦେଶ ଆସିଥିବା ବେଳେ ଏହାର ତୀବ୍ର ପ୍ରତିବାଦ କରି ରାଜ୍ୟ ସ୍ୱାସ୍ଥ୍ୟ ମିତ୍ର ଆସୋସିଏସନ୍ ତରଫରୁ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ସ୍ୱାସ୍ଥ୍ୟ ମିତ୍ର ସଂଘ ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଓଡିଶା)ଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୮ ବର୍ଷ ହେଲା ଏମାନେ ସ୍ୱଳ୍ପ ଦରମାରେ ନିଜର କାର୍ଯ୍ୟ ଦାୟିତ୍ୱର ସହ ତୁଲାଉଛନ୍ତି । ଏଥିସହିତ କରୋନା ମହାମାରୀ ସମୟରେ ମଧ୍ୟ ଏହି ସ୍ୱାସ୍ଥ୍ୟ ମିତ୍ରମାନେ ନିଜର ଜୀବନକୁ ବିପନ୍ନ କରି ହିତାଧିକାରୀ ଓ ରୋଗୀମାନଙ୍କୁ ନିରବଚ୍ଛନ୍ନ ଭାବେ ସେବା ଯୋଗାଇ ଆସୁଛନ୍ତି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଏହି ସ୍ୱାସ୍ଥ୍ୟମିତ୍ର ମାନେ କାମ କରି ଆସୁଛନ୍ତି । କିନ୍ତୁ ଦୁର୍ଭାଗ୍ୟ୍ୟର କଥା ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏମାନଙ୍କୁ ଛଟେଇ କରିବା ପାଇଁ ନିର୍ଦ୍ଦେଶ ଆସିଥିବାରୁ ଏମାନେ ନିରାଶ ହୋଇ ଜିଲ୍ଲାରେ କାର୍ଯ୍ୟରତ ଥିବା ୨୩ ଜଣ ସ୍ୱାସ୍ଥ୍ୟମିତ୍ର ମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ଏମାନଙ୍କୁ ଛଟେଇ ନ କରିବା ସହିତ ପୁନଃ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ।
ଏହି ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ସମ୍ପାଦକ ମାନସ କୁମାର ଲେଙ୍କାଙ୍କ ସହିତ ଜିଲ୍ଲା ସଭାପତି ଶ୍ରୀକାନ୍ତ ସେଠୀ, ସମ୍ପାଦକ ରୁନା ସେଠୀ, କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ବିଶ୍ୱାଳଙ୍କ ସହିତ ଲିପ୍ସା ଦାସ, ଉର୍ମିଳା ସାହୁ, ପ୍ରିୟଙ୍କା ତରାଇ, ପ୍ରମିଳା ଜେନା, ଶୁଭସ୍ମିତା ସ୍ୱାଇଁ, ପ୍ରୀତି ଦାସ, ଜୟଶ୍ରୀ ବସନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି