
ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି କାରଣରୁ ବଜାରରେ ସାମୟିକ ଭୟ ଏବଂ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଯୋଗାଣରେ ସ୍ଥାନୀୟ ବ୍ୟାହତ ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଏବଂ ପ୍ରମୁଖ ତୈଳ କମ୍ପାନୀର ସେଲ୍ସ ଅଫିସରମାନେ ଯୋଗ ଦେଇଥିଲେ। ଜିଲ୍ଲାରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଏବଂ ସୁଗମ ଭାବେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେବା ସହ କୃତ୍ରିମ ଅଭାବ କିମ୍ବା କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ସେବା ଆଇନର ଉଲ୍ଲଂଘନ କଲେ କଲେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ଜିଲ୍ଲାପାଳ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ବାଧ୍ୟତାମୂଳକ ଭାବେ ୨୦୦୦ ଲିଟର ଡିଜେଲ ଏବଂ ୧୦୦୦ ଲିଟର ପେଟ୍ରୋଲ ଜରୁରୀକାଳୀନ ଷ୍ଟକ୍ ଭାବେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂରକ୍ଷିତ ତେଲ କେବଳ ଆମ୍ବୁଲାନ୍ସ, ଦୁଗ୍ଧ ପରିବହନ ଗାଡ଼ି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ ସୁରକ୍ଷିତ ରଖାଯିବ। ଏହା ସହିତ ପ୍ରତ୍ୟେକ ପେଟ୍ରୋଲ ପମ୍ପ ନିଜର ଦୈନିକ ବିକ୍ରି ଏବଂ ମହଜୁଦ ଷ୍ଟକ୍ ସମ୍ପର୍କିତ ବିବରଣୀ ପ୍ରତିଦିନ ଜିଲ୍ଲା ଯୋଗାଣ ବିଭାଗ ନିକଟରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ କମ୍ପ୍ଲାଏନ୍ସ ଏବଂ ଦୈନିକ ରିପୋର୍ଟ ଯଥାଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏଥିରେ ଅବହେଳା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ପେଟ୍ରୋଲ ପମ୍ପଗୁଡ଼ିକର ବୈଧ ଲାଇସେନ୍ସ ଏବଂ ପ୍ରମାଣପତ୍ରର ସମୟାନୁବର୍ତ୍ତୀ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ନିରାପତ୍ତା ଲାଇସେନ୍ସଗୁଡ଼ିକୁ ତୁରନ୍ତ ନବୀକରଣ କରିବାକୁ ଜିଲ୍ଲାପାଳ ସମସ୍ତ ଡିଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ କଣ୍ଟେନରରେ ପେଟ୍ରୋଲ/ଡିଜେଲ ବିକ୍ରି କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ଅତ୍ୟାବଶ୍ୟକ ସ୍ଥିତିରେ ଯଦି କାହାକୁ ପ୍ଲାଷ୍ଟିକ କଣ୍ଟେନରରେ ତେଲ ଆବଶ୍ୟକ ହୁଏ, ତେବେ ସ୍ୱୟଂ ଜିଲ୍ଲାପାଳ ସେହି ସ୍ୱତନ୍ତ୍ର ଅନୁମତି ପତ୍ରର ଯାଞ୍ଚ କରିବା ପରେ ହିଁ ତେଲ ଦିଆଯାଇପାରିବ। ଚାଷୀମାନଙ୍କ ଟ୍ରାକ୍ଟର ପାଇଁ ଆବଶ୍ୟକ ହେଉଥିବା ଜାଳେଣି ସମ୍ପର୍କରେ ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରିବାକୁ ଏବଂ କୃଷି କାର୍ଯ୍ୟ ଯେପରି ପ୍ରଭାବିତ ନହେବ ସେଥିପାଇଁ ଜିଲ୍ଲା କୃଷି ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ବ୍ୟତୀତ ସମସ୍ତ ପେଟ୍ରୋଲ ପମ୍ପରେ ସିସିଟିଭି କ୍ୟାମେରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା, ମାସିକ ରିଟର୍ଣ୍ଣ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା, ଏବଂ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ଜେନେରାଲ ମ୍ୟାନେଜର, ଆଇ ଓ ସି ଏଲ୍, ଚିଫ ଟର୍ମିନାଲ ମ୍ୟାନେଜର, ସିନିୟର୍ ମ୍ୟାନେଜର, ଆଇ ଓ ସି ଏଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜିଲ୍ଲାର ପେଟ୍ରୋଲ ପମ୍ପ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ