ପରକୀୟା ସନ୍ଦେହରେ ସ୍ତ୍ରୀଙ୍କୁ ହତ୍ୟା; ସ୍ୱାମୀ ଗିରଫ
Man arrested for wife murder
ପରକୀୟା ସନ୍ଦେହରେ ସ୍ତ୍ରୀଙ୍କୁ ହତ୍ୟା; ସ୍ୱାମୀ ଗିରଫ


ଝାରସୁଗୁଡା, ୪ ଜୁନ (ହି.ସ.) - ପରକୀୟା ସନ୍ଦେହକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଝାରସୁଗୁଡା ଜିଆରପି ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଗୋପାଳ ମାଝୀ (୫୦) ଝାରସୁଗୁଡା ପୁରୁଣାବସ୍ତି ଅଂଚଳର ବାସିନ୍ଦା ହୋଇଥିବାବେଳେ, ମୃତକା ବସନ୍ତୀ ମାଝୀ (୩୫) ସ୍ଥାନୀୟ ଏକ ହୋଟେଲରେ କାମ କରୁଥିଲେ।

ଗତ ୨ ଜୁନରେ ଝାରସୁଗୁଡା ଶୁକ୍ରବାର ହାଟ ଅଂଚଳ ନିକଟରୁ ବସନ୍ତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କ ଦିଅର ମଧୁସୂଦନ ମାଝୀ ଜିଆରପି ଥାନାରେ ଅଭିଯୋଗ ଦାଖଲ କରିଥିଲେ। ମୃତଦେହ ଉଦ୍ଧାର ପରେ ସ୍ୱାମୀ ଗୋପାଳ ଫେରାର ହୋଇଯିବାରୁ ପୁଲିସର ସନ୍ଦେହ ତାଙ୍କ ଉପରେ ଯାଇଥିଲା।

ଘଟଣାର ତଦନ୍ତ ପାଇଁ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ବରିଷ୍ଠ ରେଳ ପୁଲିସ ଅଧିକାରୀଙ୍କ ତତ୍ୱାବଧାନରେ ଏବଂ ଝାରସୁଗୁଡା ଜିଲ୍ଲା ପୁଲିସର ସହଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା। ପରେ ପୁଲିସ ସୋନପୁରରୁ ଗୋପାଳଙ୍କୁ ଠାବ କରି ଗିରଫ କରିଥିଲା।

ଜିଆରପି ଡିଏସପି ରମେଶ ଚନ୍ଦ୍ର ଦାସଙ୍କ କହିବାନୁସାରେ, ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହୁଥିଲା। ବସନ୍ତୀ ହୋଟେଲରେ କାମ କରୁଥିବାରୁ ଅନେକ ସମୟରେ ରାତିରେ ଘରକୁ ଫେରି ପାରୁନଥିଲେ। ଏହାକୁ ନେଇ ଗୋପାଳ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ଏବଂ ବାରମ୍ବାର ଝଗଡ଼ା ହେଉଥିଲା।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଜୁନ ୧ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ରାଗରେ ଗୋପାଳ ଏକ ପଥରରେ ବସନ୍ତୀଙ୍କୁ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ପଚରାଉଚରା ବେଳେ ଗୋପାଳ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ବ୍ୟବହୃତ ପଥରକୁ ମଧ୍ୟ ପୁଲିସ ଜବତ କରିଛି। ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande