

ବଲାଙ୍ଗିର, 04 ଜୁନ୍ (ହି.ସ.)
ଆଜି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସହରର ଐତିହାସିକ ରାଣୀବନ୍ଧର ପୁନଃରୁଦ୍ଧାରକାମ ପରିଦର୍ଶନ କରି ତଦାରଖ କରିଛନ୍ତି। ଏହି ବନ୍ଧକୁ ରାଜାରାଜୁଡା ଅମଳରେ ରାଜପରିବାରର ରାଣୀ ଖୋଲାଇଥିଲେ ଓ ନିଜେ ଏଠାରେ ଗାଧୋଉଥିଲେ । ସେହିଦିନରୁ ରାଜପରିବାର ସହିତ ଏହି ବନ୍ଧର ସମ୍ପର୍କରହିଆସିଛି । ଏବେ ପୌରପାଳିକା ଏହାକୁ ପୁନଃରୁଦ୍ଧାର କରାଉଛି । ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ, ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା,କନିଷ୍ଠଯନ୍ତ୍ରୀ ଇଂ.ରୋଜାଲିସା ରାଉତ ପ୍ରମୁଖ ଉପସ୍ଥିତ ରହି ଚାଲିଥିବା ମାଟି ପୁନଃରୁଦ୍ଧାର ବିଷୟରେ ବିଧାୟକଙ୍କୁ ଅବଗତ କରିଥିଲେ। ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ବିଧାୟକଙ୍କୁ ଅବଗତକରିଥିଲେ ଯେ,ଏବେ ରାଣୀବନ୍ଧର ମାଟିକାମ ପାଇଁ ୩୯ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି । ମାଟିକାମ ଓ ଆଉଟଲେଟ କାମ ସରିଲା ପରେ ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣ କାମ କରାଯିବ ବୋଲି କହିଥିଲେ । ତେବେ ନିର୍ଦ୍ଧାରିତ ସମୟରେ ବର୍ଷାପୂର୍ବରୁ ମାଟିକାମ ସାରିବାକୁ ବିଧାୟକ କଳିକେଶ ଅଧିକାରୀଗଣଙ୍କୁ ନିର୍ଦ୍ଦେଶ କରିଥିଲେ । ବିଧାୟକ ଶ୍ରୀ ସିଂଦେଓ ଏହି ଅବସରରେ କହିଛନ୍ତି ଯେ,ବଲାଙ୍ଗୀର ସହରରେ ଜଳସଂକଟ ଦୂରକରିବାକୁ ପୌରପାଳିକା ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ସହରର ୧୧ଟି ବନ୍ଧକଟାର ପୁନଃରୁଦ୍ଧାର କାମ ହାତକୁ ନେଇଛନ୍ତି । ଯୁଦ୍ଧକାଳିନ ଭିତ୍ତିରେ ମାଟିକାମ ଚାଲିଛି । ତେଣୁଏହାର ସଫଳତା ପାଇଁ ବଲାଙ୍ଗୀର ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ରହିଛି ।ବଲାଙ୍ଗୀର ସହରର ବନ୍ଧକଟାର ପୁନଃରୁଦ୍ଧାର ହେଲେ ଆଗକୁ ବର୍ଷାପାଣି ସଂରକ୍ଷିତ ରହିବ ଓ ସହରବାସୀ ସଫାପାଣି ବ୍ୟବହାର କରିପାରିବେ ବୋଲି ବିଧାୟକ କଳିକେଶ କହି ଥିଲେ। ଏହି ଅବସରରେ ସ୍ଥାନୀୟପଡାର ବରିଷ୍ଠନେତା ଭଗବାନ ବଗର୍ତ୍ତି, ପୂର୍ବତନ ପୌରାଧ୍ୟକ୍ଷ ପ୍ରଦୀପ ସାହୁ,ପ୍ରକାଶ ନେପାକ,ସ୍ଥାନୀୟ କାଉନସିଲର ଇସ୍ମତ ଆରାଖାନ,ପୂର୍ବତନ କାଉନସିଲର ମୁନ୍ନା ଖାନ,ଅମିତାଭ ନାଗ, କାଉନସିଲର ଶମ୍ଭୁ ନାଗ, ସନ୍ତୋଷିନୀ କୁଅଁର, ଗଙ୍ଗାଧର ଚାନ୍ଦ, ନନ୍ଦିନୀ ପୋଢ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ରହି ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ