
ଆଲୋଚନା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଶିଘ୍ର ପୁରଣ କରନ୍ତୁ ସରକାର- ନରସିଂହ
ବଲାଙ୍ଗୀର, ୦୪ ଜୁନ୍(ହି.ସ.) – ବହୁ ସଂଘର୍ଷ ପରେ ରାଜେନ୍ଦ୍ର ମହାବିଦ୍ୟାଳୟ ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ ହେଲା। ଆଶା ଥିଲା ଏଠି ଉଚ୍ଚତର ଶିକ୍ଷା ଠିକ୍ ହିସାବରେ ଆମ ଅଂଚଳ ଛାତ୍ର ଛାତ୍ରୀଙ୍କୁ ମିଳିବ। ବିଶ୍ୱ ବିଦ୍ୟାଳୟ ତରଫରୁ ଗବେଷଣାତ୍ମକ କାର୍ଯ୍ୟ ଆରମ୍ଭ ହୋଇ ଆମ ଅଂଚଳ ର ଲୋକଲୋଚନକୁ ଆସିପାରି ନ ଥିବା ଅନେକ ଅଜଣା ତଥ୍ୟ ଗବେଷଣା ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଂଚି ପାରିବ। ଯଦିଓ ବର୍ତମାନର କୂଳପତି ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି କିନ୍ତୁ ବିଶ୍ୱ ବିଦ୍ୟାଳୟ ଆରମ୍ଭ ହେବାଠୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କାହିଁକି ପଦକ୍ଷେପ ନିଆଗଲା ନାହିଁ। ତା ସହ ଶିକ୍ଷାଦାନ ସୁରୁଖୁରୁରେ ଚାଲିବା ପାଇଁ ନିହାତି ଦରକାର ହେଉଥିବା ଶିକ୍ଷକ, ଅଣ ଶିକ୍ଷକ ପଦବୀ ଅନେକାଂଶରେ ଖାଲି ପଡ଼ିଛି। ତେଣୁ ଏ ସବୁ କୁ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ଓ ସରକାର ଶିଘ୍ର ପୁରଣ କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ଯାଇ କୁଳପତି ବିଭୁତି ଭୂଷଣ ମଲ୍ଲିକ ଓ କୂଳ ସଚିବ ହରପ୍ରସାଦ ଭୋଇଙ୍କ ସହ ବିଶ୍ୱ ବିଦ୍ୟାଳୟର ସମସ୍ୟାକୁ ନେଇ ଆଲୋଚନା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଗବେଷଣାମୂଳକ କାର୍ଯ୍ୟ ହେଉ କି ପାଠ୍ୟକ୍ରମ ହେଉ ଆରମ୍ଭ ନ ହୋଇଛି ସେ ପର୍ଯ୍ୟନ୍ତ ବିଶ୍ୱ ବିଦ୍ୟାଳୟ ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ। ସେ ନିଜେ ବିଧାୟକ ଥିଲା ବେଳେ ବଲାଙ୍ଗିର ରେ ଏକ ସାଇନ୍ସ ପାର୍କର କାର୍ଯ୍ୟ ଆରମ୍ଭ କରାଇଥିଲେ। ତାହା ଶୀଘ୍ର ସମ୍ପୁର୍ଣ୍ଣ କରି ତାର ପରିଚାଳନା ରକ୍ଷଣାବେକ୍ଷଣ ପାଇଁ ବିଶ୍ୱ ବିଦ୍ୟାଳୟକୁ ହସ୍ତାନ୍ତର କରିବା ନିଷ୍ପତି ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସାଇନ୍ସ ପାର୍କ ସମ୍ପୁର୍ଣ୍ଣ ହୋଇନପାରିବା ବହୁତ ଦୁଃଖର କଥା। ତେଣୁ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆଲୋଚନା ବେଳେ ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର ହେଉଥିବା ଜମି ତଥା ବର୍ତମାନ ଥିବା ଜମିରେ କିଛି ଅସଙ୍ଗତି ସହ ଜବରଦଖଲ ହୋଇଥିବାରୁ ସେ ସବୁ ସମାଧାନ ପାଇଁ କୂଳପତି ଶ୍ରୀ ମଲ୍ଲିକ ଶ୍ରୀ ମିଶ୍ରଙ୍କ ସହଯୋଗ ଲୋଡିଥିଲେ। ଏଥିରେ ତାଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗୀରର ସମସ୍ତ ଜନସାଧାରଣ ନିଶ୍ଚିତ ଭାବରେ କୁଳପତିଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ। ଆଲୋଚନା ବେଳେ କୂଳପତି ଶ୍ରୀ ମଲ୍ଲିକ ଅଣ ଶିକ୍ଷକ ପଦବୀ ପୁରଣ ଯେହେତୁ ରାଜ୍ୟ ସରକାରଙ୍କ ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା କରାଯାଇଥାଏ ସେଥିପାଇଁ ବିଶ୍ୱ ବିଦ୍ୟାଳୟ ତରଫରୁ ଅନୁରୋଧ କରାଯାଇଥିବାର କହିଥିଲେ। ଗତ ୫ ବର୍ଷ ହେଲା ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର କରୁଥିବା ବି-୨ ମାନ୍ୟତା ନାହିଁ। ଫଳରେ ୟୁଜିସିରୁ ଅନୁଦାନ ପାଇବା ସମ୍ଭବ ହେଉ ନାହିଁ ତେଣୁ କୂଳପତି ନିଜ ତରଫରୁ ଏ ଦିଗରେ ଉଦ୍ୟମ ଜାରି ରଖି ଯେମିତି ୟୁଜିସି ଅନୁଦାନ ବିଶ୍ୱ ବିଦ୍ୟାଳୟ ପାଇ ପାରିବ ସେ ଦିଗରେ କାମ କରୁଛନ୍ତି ବୋଲି କହିଥିଲେ। ଆଲୋଚନା ପରେ ବୈଠକରେ ସାମିଲ ଥିବା ଛାତ୍ର ନେତା ତଥା ପୁରାତନ ଛାତ୍ରମାନେ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ମରାମତି, ହଷ୍ଟେଲର କ୍ଷମତା ବଢାଇବା, ନୁଆ ବିଭାଗ ଯଥା ଆଇନ, ସାମ୍ବାଦିକତା, ବୃତିଗତ ଶିକ୍ଷା, ବିସିଏ, ଏମ୍ସିଏ, ବିଟେକ୍, ଏମ୍ଟେକ୍ ଇତ୍ୟାଦି ପାଠ୍ୟକ୍ରମ ଖୋଳିବାକୁ ନେଇ କୂଳପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏ ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଆଜିର ଏହି ଆଲୋଚନା ବେଳେ ଛାତ୍ରନେତା ଚିନ୍ମୟ ବେହେରା, ଅଙ୍କିତ ସାହୁ, ସୋହନ ସୁନ୍ଦର ନାଏକ, ପଂଚାନନ ଷାଣ୍ଢ, ଅମୀୟ ବଗର୍ତି, ଜିତେନ ମନହିରା, ତାପସ ମିଶ୍ର, ସୁମନ ସ୍ୱାଇଁ, ଶ୍ରୀକାନ୍ତ ବେହେରା, ପୁରାତନ ଛାତ୍ର ବ୍ୟାସଦେବ ନନ୍ଦ, ଦିନେଶ ପ୍ରସାଦ ଦାନି ଏବଂ ହିମାଂଶୁ ନାୟକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ