
ଭୁବନେଶ୍ୱର, ୪ ଜୁନ୍ (ହି.ସ.)- ଆଗାମୀ ୫ ଦିନ ଅର୍ଥାତ୍ ଜୁନ୍ ୪ ତାରିଖ ସକାଳ ଠାରୁ ୯ ତାରିଖ ସକାଳ ସୁଦ୍ଧା କାଳବୈଶାଖୀ ସମ୍ଭାବନା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୬ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ଗଜପତି)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ ।
ଅନୁରୂପ ଭାବେ ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୫ ତାରିଖ ସକାଳ ଠାରୁ ୬ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୬ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ସୁଦ୍ଧା ୩୦ ଜିଲ୍ଲା, ୭ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ସୁଦ୍ଧା ୩୦ ଜିଲ୍ଲା ଏବଂ ୮ ତାରିଖ ସକାଳ ଠାରୁ ୯ ତାରିଖ ସକାଳ ସୁଦ୍ଧା ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ୨ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ