
କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ୍ କାର୍ଯ୍ୟାଳୟରେ ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ପାଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ (ପିଅନ) ମାନଙ୍କୁ ଦୀର୍ଘ ୯ ମାସ ହେଲା ଦରମା ମିଳିନାହିଁ । ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ସେମାନଙ୍କର ପରିବାର ଚଳାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ୩୦ ଗୋଟି ଜିଲ୍ଲା ମଧ୍ୟରୁ ସମସ୍ତ ଜିଲ୍ଲାରେ ଚତୁର୍ଥ ଶ୍ରେଣୀ ଆଉଟ୍ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କର ଦରମା ମିଳିଥିବାବେଳେ କେବଳ କେନ୍ଦ୍ରାପଡା ଜିଲ୍ଲାରେ ଏମାନଙ୍କୁ ଦରମା ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମାନ୍ୟ ଦରମା ପାଉଥିବା ବେଳେ ଦୀର୍ଘ ୯ ମାସ ହେଲା ଏମାନଙ୍କର ଦରମା ମିଳୁନଥିବାରୁ ଏମାନେ ବହୁ ଅସୁବିଧାରେ ଆସି ସମସ୍ତ କାର୍ଯ୍ୟାଳୟରେ ନିଜର ଡ୍ୟୁଟି ତୁଲାଇଛନ୍ତି । ଏ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାର୍, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା (ସାଧାରଣ), ରବିନ୍ଦ୍ର କୁମାର ମଲ୍ଲିକ (ରାଜସ୍ୱ)ଙ୍କୁ ଭେଟି ଦରମା ପାଇବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି