ହୀରାକୁଦ ଅଂଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଜଣେ ଗିରଫ
ହୀରାକୁଦ ଅଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଜଣେ ଗିରଫ
ହୀରାକୁଦ ଅଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଜଣେ ଗିରଫ


ସମ୍ବଲପୁର, ୦୪, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅନ୍ତର୍ଗତ ଆଇଟିଆଇ ଗୁଜାତାଲ ଛକ ନିକଟରେ ଗତକାଲି ସକାଳ ୮ଟା ବେଳେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ କିଛି ଦୁର୍ବୃତ ସଂଘବଦ୍ଧ ଭାବେ ଛୁରାମାଡ଼ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ଆହତ ଯୁବକଙ୍କୁ ତୁରନ୍ତ ବୁର୍ଲା ଭୀମସାରରେ ଚିକିତ୍ସା ପାଇଁ ଭର୍ତି କରା ଯାଇଥିଲା । ଗୁରୁତର ଯୁବକ ଜଣକ ହେଲେ ଗଗନ କୁମାର ଜଗଦୀଶ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗଗନ ସଉଦା ଆଣିବା ପାଇଁ ଘର ପାଖରେ ଥିବା ଏକ ତେଜରାତି ଦୋକାନକୁ ଯାଉଥିଲେ । ଏହି ସମୟରେ ପୂର୍ବ ପ୍ରସ୍ତୁତିରେ ଛକି ରହିଥିବା ମନୋରଞ୍ଜନ ଦୋରା ଓ ତା'ର କିଛି ସହଯୋଗୀ ମିଳିତ ଭାବେ ହଠାତ୍ ଗଗନଙ୍କୁ କିଛି ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଭଳି ମରଣାନ୍ତକ ଆକ୍ରମଣରେ ଗଗନ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଆହତ ଗଗନକୁ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସମ୍ପର୍କରେ ଗଗନଙ୍କ ବାପା କରୁଣାକର ଜଗଦୀଶ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏସଂକ୍ରାନ୍ତରେ ୧୨୧/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ଏହି ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ନେଇ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଙ୍କର ନିର୍ଦ୍ଦେଶକ୍ରମେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବୁର୍ଲା ପୋଲିସ ଏସଡିପିଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୀରାକୁଦ, ବୁର୍ଲା ଏବଂ ଅଇଁଠାପାଲି ଥାନାର ଥାନାଧିକାରୀ ମାନଙ୍କୁ ନେଇ ଏହି ସ୍ପେଶାଲ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ଦୋରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହା ସହିତ ଅପରାଧରେ ବ୍ୟବହୃତ ହୋଇଥିବା ଏକ ବୁଲେଟ୍ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande