
ଚମ୍ପୁଆ, ୪ ଜୁନ୍ (ହି.ସ.)- ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ପୁଣି ଥରେ ଦୁର୍ନୀତି ଓ ନିମ୍ନମାନର କାମ ନେଇ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କାଶୀପାଳ ପଞ୍ଚାୟତ ଅନ୍ତର୍ଗତ କାଶୀପାଳ ହାଟ ପଡ଼ିଆଠାରେ ନିର୍ମାଣ ହେଉଥିବା ବନ ସୁରକ୍ଷା ସମିତି (ଭି.ଏସ.ଏସ.) କୋଠରୀ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଦେଶରେ ଏହି କୋଠରୀ ନିର୍ମାଣ କରାଯାଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୮ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଅଟକଳ କରାଯାଇଛି। ମାତ୍ର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାର୍ଯ୍ୟସ୍ଥଳରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାର ସଲାସୁତରା ହୋଇ ସମ୍ପୂର୍ଣ୍ଣ ନିମ୍ନମାନର କାମ କରି ଅନୁଦାନ ଟଙ୍କାକୁ ଚଳୁ କରିବାକୁ ଚେଷ୍ଟା କରୁଛନ୍ତି। ଗୃହର ତଳ ଭାଗରେ (ଭିତ୍ତିଭୂମି) ମାଟି ଫିଲିଙ୍ଗ କରାଯାଇ ତାର ଉପରେ ମାତ୍ର ୬ ରୁ ୭ ଇଞ୍ଚର ବାଲି ପକାଇ କାମ ସାରିଦେବାକୁ ଚେଷ୍ଟା କରାଯାଉଛି, ଯାହାକି ସ୍ଥାନୀୟ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଭୁଆଁ ବୁଲାଇବା ସଦୃଶ ହୋଇଛି। ସୂଚନା ଫଳକ ନିର୍ମାଣରେ ମଧ୍ୟ ଜାଲିଆତି କରା ଯାଇଥିବା ଦେଖିବାକୁ ମିଳିଛି।
ସରକାରୀ ନିୟମ ଅନୁଯାୟୀ, ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସର୍ବସାଧାରଣଙ୍କ ଅବଗତି ପାଇଁ ଏକ ସ୍ୱତନ୍ତ୍ର ସୂଚନା ଫଳକ ସ୍ଥାପନ କରିବା ବାଧ୍ୟତାମୂଳକ। କିନ୍ତୁ ଏଠାରେ ସେଭଳି କୌଣସି ସ୍ୱତନ୍ତ୍ର ସୂଚନା ଫଳକ ତିଆରି କରାଯାଇ ନାହିଁ। ବରଂ ପୂର୍ବରୁ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ନିର୍ମିତ ହୋଇଥିବା ଏକ ଆବର୍ଜନା କୁଣ୍ଡର ଛାଉଣୀକୁ ଭାଙ୍ଗି, ସେହି ଅଳିଆ କୁଣ୍ଡର କାନ୍ଥରେ ହିଁ ଚତୁରତାର ସହ ଏହି ପ୍ରକଳ୍ପର ସୂଚନା ଲେଖି ଦିଆଯାଇଛି। ଏଠାରେ ବସୁଥିବା ସାପ୍ତାହିକ ହାଟର ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କରାଯାଇଥିବା ଏହି ଅଳିଆ କୁଣ୍ଡର ଛାଉଣୀକୁ ଭାଙ୍ଗି ଦିଆଯାଇଥିବାରୁ ଏବେ ଏହାର ସ୍ଥାୟିତ୍ୱ ଏବଂ ହାଟର ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ଅର୍ଥର ଏଭଳି ଅପବ୍ୟବହାର ଏବଂ ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଓ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta