
ଜୟପୁର, ୪ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲାର ନିଲାବାଡ଼ି ଗ୍ରାମରେ ଅଜଣା ରୋଗର ପ୍ରକୋପ ଯୋଗୁଁ ଶତାଧିକ ଘୁଷୁରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୪୦ରୁ ୪୫ ଜଣ ଚାଷୀଙ୍କ ୪୦୦ରୁ ୫୦୦ ଘୁଷୁରୀ ମୃତ୍ୟୁବରଣ କରିଥିବା ବେଳେ ଏହାର ଆନୁମାନିକ କ୍ଷତି ୪୫ରୁ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମେ ଗୋଟିଏ କିମ୍ବା ଦୁଇଟି ଘୁଷୁରୀର ମୃତ୍ୟୁ ଘଟିଥିଲା। କିନ୍ତୁ ସମୟରେ ରୋଗ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ନ ହେବାରୁ ଏହା ଧୀରେ ଧୀରେ ମହାମାରୀର ରୂପ ନେଇଥିବା ଅଭିଯୋଗ ହୋଇଛି। ଚାଷୀମାନେ ବନ୍ଧୁଗାଁ ପ୍ରାଣୀ ଚିକିତ୍ସା ବିଭାଗର ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏପଟେ ମୃତ ଘୁଷୁରୀମାନଙ୍କୁ ସଠିକ ଭାବେ ନିଷ୍କାଷନ କରାଯାଇନଥିବାରୁ ଗ୍ରାମରେ ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇଛି। ପଚିସଢି ଯାଉଥିବା ମୃତ ପଶୁମାନଙ୍କ ଦେହରୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଏହା ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।
ଘୁଷୁରୀ ପାଳନ କରି ଜୀବିକା ନିର୍ବାହ କରୁଥିବା ଅନେକ ଚାଷୀଙ୍କ ୧୦ରୁ ୧୨ଟି ଲେଖାଏଁ ଘୁଷୁରୀ ମୃତ୍ୟୁ ହୋଇଥିବାରୁ ସେମାନେ ଆର୍ଥିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି ପ୍ରଭାବିତ ଚାଷୀମାନେ।
ଗ୍ରାମବାସୀମାନେ ପ୍ରଶାସନ, ପ୍ରାଣୀ ଚିକିତ୍ସା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିବା, ରୋଗର ପ୍ରକୃତ କାରଣ ଖୋଜିବା ଏବଂ ମୃତ ଘୁଷୁରୀମାନଙ୍କର ବୈଜ୍ଞାନିକ ନିଷ୍କାଷନ କରିବାକୁ ଦାବି କରିଛନ୍ତି। ଗ୍ରାମରେ କୌଣସି ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି