




ସମ୍ବଲପୁର, ୦୫, ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ସଦର ଥାନା ପୋଲିସ ଅପହରଣ, ଲୁଟ୍ ଓ ଦାଦାବଟି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ତିନିଟି ଧାରୁଆ ଛୁରୀ, ଗାଡ଼ି ଓ ନଗଦ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ସଦର ଥାନାରେ ଗତ ୩ ତାରିଖରେ ୧୭୦/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ସୂଚନା ଅନୁସାରେ, କୁଚିଣ୍ଡା ଥାନା ଅନ୍ତର୍ଗତ କଟାରକେଲା ଗ୍ରାମର ସୁରେନ୍ଦ୍ର ଭୋଇ ଜୁନ ୩ ରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଜୁନ୍ ୧ ତାରିଖରେ ସେ ଓ ତାଙ୍କ ସହଯୋଗୀ ରାଜୀବ ଦାଶ ବାହାମ ଗ୍ରାମର ସଦାନନ୍ଦ ମିର୍ଦ୍ଧାଙ୍କ ଘରକୁ ପୂଜା କାର?୍ୟ୍ୟ ପାଇଁ ଯାଇଥିଲେ। ପୂଜା ସମାପ୍ତ ପରେ ଦୁହେଁ ଏକ କେନାଲ ନିକଟରେ ଥିବାବେଳେ ୩ଟି ମୋଟର ସାଇକେଲରେ ୯ ଜଣ ଦୁର୍ବୃତ ସେଠାରେ ପହଂଚି ସେମାନଙ୍କୁ ନଙ୍ଘା ମାରପିଟ କରିଥିଲେ। ଏପରିକି ଦୁର୍ବୃତମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ଗୋଟିଏ ପ୍ଲାଟିନା ବାଇକ୍ ଏବଂ ନଗଦ ୧୩ ଶହ ଟଙ୍କା ଲୁଟି ନେଇଥିଲେ। ପରେ ଉଭୟଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ରାତିସାରା ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ପରଦିନ ଅଭିଯୋଗକାରୀଙ୍କୁ ଏକ ସିଏସ୍ସି କେନ୍ଦ୍ରକୁ ନେଇ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବାକୁ ଚେଷ୍ଟା ମଧ୍ୟ କରାଯାଇଥିଲା। ଆଧାର କାର୍ଡ ନ ଥିବାରୁ ସେମାନେ ଟଙ୍କା ଉଠାଇବାରେ ସଫଳ ହୋଇପାରି ନଥିଲେ। ଏହାପରେ ରାଜୀବ ଦାଶଙ୍କୁ ଏକ ସ୍ୱିଫ୍ଟ ଡିଜାୟର କାରରେ ତାଙ୍କ ଘରକୁ ନେଇ ସେଠାରେ ୩୦ ହଜାର ଟଙ୍କା ଦାବି କରିଥିଲେ। ତେବେ କୌଶଳକ୍ରମେ ରାଜୀବ ସେମାନଙ୍କ କବଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ଜୁନ୍ ୨ ତାରିଖ ରାତି ପ୍ରାୟ ୮ଟା ସମୟରେ ଅଭିଯୁକ୍ତମାନେ ସୁରେନ୍ଦ୍ର ଭୋଇଙ୍କୁ ସରସୁଆତାଳ ଛକରେ ଛାଡ଼ି ଦେଇଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ। ଏହି ଘଟଣାକୁ ତଦନ୍ତ କରି ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ସୁମନ ଗାର୍ଡିଆ (୨୦), ଶ୍ରୀକାନ୍ତ ସୁନାନୀ (୨୦), ରାଜେଶ ନନ୍ଦ (୧୯), ନୀଳାମ୍ବର ବେସନ (୪୨) ଏବଂ ଭୋଳାନାଥ ଛନ୍ଦ (୨୭) ଥିବା ଜଣାପଡିଛି । ପୋଲିସ ସେମାନଙ୍କୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଏକ ସ୍ୱିଫ୍ଟ ଡିଜାୟର କାର, ଦୁଇଟି ବାଇକ୍, ଏକ ଦେଶୀ ପିସ୍ତଲ, ତିନୋଟି ଛୁରୀ, ଏକ ପୋକୋ ମୋବାଇଲ ଫୋନ ଏବଂ ୧,୩୦୦ ଟଙ୍କା ନଗଦ ଜବତ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ