
ଚମ୍ପୁଆ, ୫ ଜୁନ୍ (ହି.ସ.)- ଚମ୍ପୁଆ ଅଞ୍ଚଳରେ ଚାଷ ସମୟ ଆସିଥିଲେ ମଧ୍ୟ ଚାଷୀଙ୍କୁ ସାର ଓ ବିହନ ମିଳୁନାହିଁ । ଅଞ୍ଚଳର ପ୍ରାୟ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଚମ୍ପୁଆ ଅଞ୍ଚଳର ଲ୍ୟାମ୍ପ୍ସ ଗୁଡିକରେ ଦେଖାଦେଇଛି ଚରମ ଅଚଳାବସ୍ଥା। ଚମ୍ପୁଆ, ରିମୁଳି, କରଞ୍ଜିଆ, ଜାମୁଦଲକ ପରି ଲ୍ୟାମ୍ପ୍ସ ଗୁଡିକରେ କୌଣସି ମୁରବି ବା ଦାୟିତ୍ୱବାନ ଅଧିକାରୀ ନଥିବାରୁ ସାର କିମ୍ବା ବିହନ ଆସିପାରୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ କୋଟା ବ୍ୟବସ୍ଥା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କୁ ଦୈନିକ ମାତ୍ର ୩୦ରୁ ୪୦ ପ୍ୟାକେଟ ସାର ବିକ୍ରି ପାଇଁ ଅନୁମତି ମିଳୁଛି। ଏହା ସହିତ ଜଣେ ଚାଷୀଙ୍କୁ ମାତ୍ର ୨ ପ୍ୟାକେଟ ଡି.ଏ.ପି. ଓ ୧ ପ୍ୟାକେଟ ୟୁରିଆ ପ୍ରଦାନ କରାଯାଉଛି। ଚାଷ ଜମି ତୁଳନାରେ ଏହି ପରିମାଣ ଅତି ନଗଣ୍ୟ। ସ୍ୱଳ୍ପ ସାର ଓ ବିହନ ଅଭାବ ଯୋଗୁଁ ଚଳିତ ବର୍ଷ ଚାଷ କାର୍ଯ୍ୟ କିଭଳି ଆଗକୁ ବଢ଼ିବ, ସେ ନେଇ ଚାଷୀକୁଳ ଆଶଙ୍କାରେ ଅଛନ୍ତି। ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚମ୍ପୁଆ ଅଞ୍ଚଳର ଲ୍ୟାମ୍ପ୍ସ ଗୁଡିକରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ସହ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଓ ବିହନ ଯୋଗାଇ ଦେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta