
ମାଲକାନଗିରି, ୫ ଜୁନ୍ (ହି.ସ.)- ସମୟ ଥିଲା ଯେତେବେଳେ ମାଓବାଦୀଙ୍କ ଦଖଲରେ ଥିଲା ଗାଁ । ରାସ୍ତା ଓ ଉପାନ୍ତ ଅଞ୍ଚଳ ଯୋଗୁଁ କେହି ଦେଖିନଥିଲେ ବାହାର ଦୁନିଆ । ମାଓଦମନ ଅଭିଯାନ ପରେ ଏବେ ଗାଁ ମାଓମୁକ୍ତ । ତଥାପି ବିକାଶ ଛୁଇଁପାରୁନି ଗାଁକୁ । ମୌଳିକ ସୁବିଧାରୁ ବଞ୍ଚିତ ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ସମିତି ଅନ୍ତର୍ଗତ କର୍ତ୍ତନପାଲ୍ଲୀ ଗ୍ରାମ ପଞ୍ଚାୟତର ଗୁଗାପଦର ଗ୍ରାମବାସୀ ।
ପାହାଡ଼ ଉପରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଗାଁ ଲୋକେ।
ପଞ୍ଚାୟତ ସଦର ମହକୁମାଠାରୁ ମାତ୍ର ୧୦ କି.ମି. ଦୂରରେ ଗୁଗାପଦର ଗାଁ । ସ୍ଵାଧିନତାର ସାତ ଦଶନ୍ଧି ପରେ ମଧ୍ୟ ଏହି ଗାଁରେ କେବେ ସରକାରୀ ବାବୁଙ୍କ ପାଦ ପଡ଼ିନି । ପୂର୍ବରୁ ମାଓ ଭୟରେ କେହି ଯାଉନଥିଲେ କିନ୍ତୁ ଏବେ ମାଓମୁକ୍ତ ହେଲା ପରେ ମଧ୍ୟ ସମାନ ସ୍ଥିତି ।
ଗାଁରେ ପ୍ରାୟ ୪୦ ପରିବାର, ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଲୋକେ। ଜଙ୍ଗଲ ଜମିରେ ଚାଷ କରି ଗ୍ରାମବାସୀ ନିଜର ଗୁଜରାଣ ମେଣ୍ଟାଉଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିନି । ନିରକ୍ଷର ସାଙ୍ଗକୁ ମାଓବାଦୀଙ୍କ ନିୟମକାନୁନ ଭିତରେ ରହି ସରକାରୀ ଆଇନକାନୁନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଅତ୍ୟନ୍ତ ଆବଶ୍ଯକୀୟ ହେଉଥିବା ପିଇବା ପାଣିର ସୁବିଧା ନଥିବାରୁ ମହିଳାମାନେ ପାହାଡ ତଳକୁ ଓହ୍ଲାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ସେବା ସବୁଥିରୁ ବଞ୍ଚିତ ଗୁଗାପଦର ଗାଁ । ଡିବିରି ଆଲୁଅରେ ରାତି କଟୁଥିବା ବେଳେ ସ୍କୁଲ୍ ଯିବା ସୁବିଧା ନଥିବାରୁ କେହି ପାଠ ପଢ଼ୁନାହାନ୍ତି ।
ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ଗୁଣିଆ ଓ ଦିଶାରୀଙ୍କ ଚିକିତ୍ସା ଉପରେ ଗ୍ରାମବାସୀ ନିର୍ଭର କରନ୍ତି । ବହୁବାର ଦାବି ସତ୍ତ୍ବେ ଗାଁକୁ ପକ୍କାରାସ୍ତା ନିର୍ମାଣ ହୋଇପାରୁ ନାହିଁ । ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ସୁବିଧା ମିଳୁଛି । ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗ୍ରାମର ଶିଶୁ ଓ ଗର୍ଭବତୀ ପୋଷଣ ଯୁକ୍ତ ଖାଦ୍ୟରୁ ବଞ୍ଚିତ । ଗୁଗାପଦର ମାଓ ମୁକ୍ତ ହେବା ପରେ ବିକାଶ ନେଇ ଆଶାବାଦୀ ଥିଲେ ଗ୍ରାମବାସୀ କିନ୍ତୁ ପ୍ରଶାସନିକ ଅବହେଳାର ଶିକାରରେ ଗ୍ରାମବାସୀଙ୍କ ସ୍ବପ୍ନ ବାସ୍ତବ ରୂପ ନେଇପାରୁ ନାହିଁ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ