
କେନ୍ଦୁଝର, ୫ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ବିଭିନ୍ନ ବିଭାଗରେ ଠିକା କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ। ହେଲ୍ପ ଡେସ୍କରେ ୩୮ ଜଣ, ସିଏଚସି ଆଟେନାଣ୍ଡ ୨୦ ଜଣ, ଇନଫରମେଟିକ ଆସିଷ୍ଟାଣ୍ଟରେ ୨୦ ଜଣ ଚାକିରୀ କରି ନିଜର ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଗତ ୩୧.୩.୨୦୨୬ ରେ ଏ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଠିକା ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଛଟେଇ ପ୍ରତିବାଦରେ ବିଏମଏସ ସହ ଅନୁବନ୍ଧିତ କେନ୍ଦୁଝର ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରସାଶନ ତାଙ୍କ ଦାବି ନଶୁଣିଲା ପରେ ଆଜି ସଙ୍ଗଠନ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି।
ଦାବୀ ଗୁଡିକ ହେଲା ଛଟେଇ ସମସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପ୍ରତିମାସ ଦରମା ୭ ତାରିଖ ସୁଦ୍ଧା ପ୍ରଦାନ, ସମସ୍ତ ଠିକା କର୍ମଚାରୀଙ୍କୁ ଇପିଏଫ, ଇଏସଆଇରେ ଅନ୍ତର୍ଭୁକ୍ତ, ଠିକା କର୍ମଚାରୀ ଙ୍କ ପାଇଁ ୱେଜେସ ବୋର୍ଡ ଗଠନ ଓ ସିଏଚସି ରେ କାର୍ଯ୍ୟ କରୁଥିବା ଷ୍ଟାଫ୍ ନର୍ସ ମାନଙ୍କ ବନ୍ଦ ଥିବା ଇନ୍ସେଷ୍ଟିବ ପ୍ରଦାନ। ଏହି ଦାବୀ ଗୁଡିକ ଜିଲ୍ଲା ପ୍ରସାଶନ ଯଥାଶୀଘ୍ର ନମାନିଲେ ଆଗାମୀ ଦିନରେ ସମସ୍ତ ଠିକା କର୍ମଚାରୀ କାର୍ଯ୍ୟବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA