
କେନ୍ଦୁଝର, ୫ ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତି ଉତ୍ସବ ଏବଂ ଏଥିପାଇଁ ଆୟୋଜିତ ହେବାକୁ ଥିବା ଆଗାମୀ ଜନସମ୍ପର୍କ କାର୍ଯ୍ୟକ୍ରମ ସମ୍ପର୍କରେ ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ (ଆଭାସୀ ) ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟବ୍ୟାପୀ ଜନସମ୍ପର୍କ ଅଭିଯାନର ଏକ ଅଂଶ ଭାବରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରସ୍ତାବିତ କାର୍ଯ୍ୟକଳାପ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବିଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ସଫଳତା, ଜନକଲ୍ୟାଣକାରୀ ପଦକ୍ଷେପ ଏବଂ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକଲୋଚନକୁ ଆଣିବା।
ଜିଲ୍ଲା ମୁଖ୍ୟାଳୟସ୍ଥିତ ଓସ୍ୱାନ ହଲରୁ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଆଭାସୀ ବୈଠକରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ, ସର୍ବାଧିକ ଜନସାଧାରଣଙ୍କ ଭାଗିଦାରୀ ନିଶ୍ଚିତ କରିବା ଏବଂ ସରକାରୀ ଯୋଜନା ଓ ସେବା ବିଷୟରେ ତଥ୍ୟର ପ୍ରଭାବଶାଳୀ ପ୍ରସାର ପାଇଁ ରଣନୀତି ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଜନସମ୍ପର୍କ କାର୍ଯ୍ୟକ୍ରମ ଗୁଡ଼ିକର ସୁଚାରୁ ପରିଚାଳନା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ଏବଂ ଅଧିକାରୀମାନଙ୍କୁ ଆଗୁଆ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସରକାରଙ୍କ ସଫଳତା ପ୍ରଦର୍ଶନ କରିବା ସହ ସମଗ୍ର ରାଜ୍ୟରେ ନାଗରିକମାନଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। କେନ୍ଦୁଝର ଜିଲ୍ଲାରେ ଦୁଇ ବର୍ଷ ପୂର୍ତି ଉତ୍ସବ ଏବଂ ଏହା ସହିତ ଜଡ଼ିତ ଜନସମ୍ପର୍କ କାର୍ଯ୍ୟକ୍ରମର ସଫଳ ପାଳନ ପାଇଁ ଜିଲ୍ଲା ଅଧିକାରୀମାନେ ସମ୍ପୂର୍ଣ୍ଣ ସହଯୋଗ ଓ ପରସ୍ପର ସହିତ ସମନ୍ୱୟ ରକ୍ଷା କରି କାର?୍ୟ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA