
ଜୟପୁର, ୫ ଜୁନ୍ (ହି.ସ.)- ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ଆଦିବାସୀ ଜୈବ ବିବିଧତା କେନ୍ଦ୍ର, ଜୟପୁର ଓ ଓଡିଶା ଜୈବ ବିବିଧତା ବୋର୍ଡ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ୫ ଜୁନ ୨୦୨୬ ତାରିଖରେ ଜୟପୁରରେ ବିଶ୍ୱ ପରିବେଶ ଦିବସ ଅବସରରେ ବିହନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା କୃଷି ଜୈବ ବିବିଧତା ସଂରକ୍ଷଣ, ଜଳବାୟୁ ସହନଶୀଳତା ବୃଦ୍ଧି ଏବଂ ଗୋଷ୍ଠୀ ପରିଚାଳିତ ବିହନ ପ୍ରଣାଳୀକୁ ସୁଦୃଢ଼ କରିବା। ଏହି କାର୍ଯ୍ୟକ୍ରମ ବିଶ୍ୱ ପରିବେଶ ଦିବସର ବୈଷୟିକ ଆହ୍ୱାନକୁ ଆଧାର କରି ପ୍ରକୃତି ସୁରକ୍ଷା ଏବଂ ପରିବେଶ ସଚେତନତା ସୃଷ୍ଟି କରିବା, ପ୍ରଦୂଷଣ ମୁକ୍ତ କରିବା, ଜଳ ଏବଂ ବାୟୁ କୁ ସ୍ୱଚ୍ଛ ରଖିବା ଏବଂ ଅଧିକରୁ ଅଧିକ ଗଛ ଲଗାଇବା ଓ ପରିବେଶ ସୁରକ୍ଷାକୁ ପ୍ରମୁଖତା ଦେଇ ମହୋତ୍ସବଟି ଆୟୋଜିତ ହୋଇଥିଲା। ପାରମ୍ପରିକ ବିହନ, ସ୍ଥାନୀୟ କୃଷି ଜ୍ଞାନ, ଜୈବ ବିବିଧତା ସଂରକ୍ଷଣ ଏବଂ ଜୈବ ଆନନ୍ଦ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ଗୋଷ୍ଠୀ ଭିତ୍ତିକ ବିହନ ସଂରକ୍ଷଣ ଓ ଗୋଷ୍ଠୀ ସହଭାଗୀତା ଆଧାରିତ ଜୈବ ବିବିଧତା ସଂରକ୍ଷଣର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।ଉଦ୍ଘାଟନୀ ଅଭିଭାଷଣରେ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ର ଅଧ୍ୟକ୍ଷା ଡା. ସୌମ୍ୟା ସ୍ୱାମୀନାଥନ ଗୋଷ୍ଠୀ ଭିତ୍ତିକ ବିହନ ମହୋତ୍ସବର ପ୍ରାସଙ୍ଗିକତା ଓ ପରିବେଶ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ହ୍ରାସ ଭଳି ସମସ୍ୟାର ସମାଧାନ ପାଇଁ ପାରମ୍ପରିକ ବିହନ ସଂରକ୍ଷଣ ଏବଂ ପ୍ରାକୃତିକ କୃଷି ପ୍ରଣାଳୀକୁ ଆଗେଇ ନେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର ବୈଜ୍ଞାନିକ ଡା. କାର୍ତ୍ତିକ ଚରଣ ଲେଙ୍କା ବିଶ୍ୱ ପରିବେଶ ଦିବସ ୨୦୨୬ର ଗୁରୁତ୍ୱ ବିଷୟରେ ଅଭିଭାଷଣ ରଖି ପରିବେଶ ସୁରକ୍ଷା, ପ୍ରକୃତି ପୁନରୁଦ୍ଧାର ଓ ସ୍ଥାନୀୟ ଜୈବ ସମ୍ପଦର ଚିର ସ୍ଥାୟୀ ବ୍ୟବହାର ପାଇଁ ସାମୁହିକ ପ୍ରୟାସର ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା, କୁନ୍ଦ୍ରା, ଜୟପୁର, କୋରାପୁଟ ବ୍ଲକ ର ୧୨୦ ରୁ ଉର୍ଦ୍ଧ ବିହନ ସଂରକ୍ଷକ କୃଷକ, ଜୈବ ବିବିଧତା ପରିଚାଳନା କମିଟି ସଦସ୍ୟ, ଗବେଷକ, ପଞ୍ଚବଟୀ ଗ୍ରାମ ଉନ୍ନୟନ ସମିତି ର ସଦସ୍ୟ ଓ ବିଭିନ୍ନ ଅତିଥିମାନେ ଅଂଶଗ୍ରହଣ କରିଥିଲେ। କୃଷକ ଓ ବିଏମସି ସଦସ୍ୟମାନେ ପାରମ୍ପରିକ ବିହନ ସଂରକ୍ଷଣ ଓ ଗୋଷ୍ଠୀ ଭିତ୍ତିକ ଜୈବ ବିବିଧତା ପରିଚାଳନା ବିଷୟରେ ନିଜ ଅନୁଭୂତି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜିଲ୍ଲା ବନ ଅଧିକାରୀ, ଜୟପୁର ବନଖଣ୍ଡ ପ୍ରଶାନ୍ତ ପଟେଲ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ର ଜଳବାୟୁ ସହନଶୀଳ କୃଷି ଓ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ହୋଇଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ ଏହି ବିଶ୍ୱ ପରିବେଶ ଦିବସ ଅବସରରେ ହୋଇଥିବା ବିହନ ମହୋତ୍ସବକୁ ଉଦ୍ଘାଟନ କରିବା ସହ କୃଷକ ଓ ବିଏମସି ସଦସ୍ୟମାନଙ୍କୁ ବିହନ ବଣ୍ଟନ କରିଥିଲେ। ଏହି ଅବସରରେ ଜୈବ ବିବିଧତା ସଂରକ୍ଷଣରେ ଅବଦାନ ପାଇଁ ପଞ୍ଚବଟୀ ଗ୍ରାମ ଉନ୍ନୟନ ସମିତି ର ଆନୁକୂଲ୍ୟରେ ୧୦ ଜଣ ବିହନ ସଂରକ୍ଷକଙ୍କୁ ୧୦ ହଜାର ଆର୍ଥିକ ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା।ପରବର୍ତ୍ତୀ କ୍ଷେତ୍ରରେ ଭାରତ ରତ୍ନ ଏମ୍.ଏସ୍. ସ୍ୱାମୀନାଥନଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ତାଙ୍କର ଉତ୍ସର୍ଗକୁ ସ୍ମରଣ କରାଯାଇଥିଲା, ଯେଉଁଥିରେ ସବୁଜ ଓ ସହନଶୀଳ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର କର୍ମକର୍ତ୍ତା ଓ କୃଷକମାନେ ଗୋଷ୍ଠୀ ପରିଚାଳିତ ବିହନ ପ୍ରଣାଳୀ ଓ ଜଳବାୟୁ ସହନଶୀଳ କୃଷି ଉପରେ ନିଜ ମତାମତ ରଖିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର, ବିହନ ପ୍ରଣୟନ ଅଧିକାରୀ ପ୍ରଦୀପ କୁମାର ଖରା, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ସଂଜୀବ କୁମାର ମହନ୍ତ, ଜୟପୁର ବନଖଣ୍ଡ ସହକାରୀ ବନ ସଂରକ୍ଷକ ଅମିତ ପ୍ରକାଶ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୋନାଲି ନାୟକ ଅତିଥି ଭାବରେ ଯୋଗଦେଇ ବିହନ ସଂରକ୍ଷଣ, ଜୈବ ବିବିଧତା ପରିଚାଳନା ଉପରେ ନିଜର ଅଭିଜ୍ଞତା ଅଂଶଗ୍ରହଣ ଚାଷୀମାନଙ୍କ ସହିତ ପରିପ୍ରକାଶ କରିଥିଲେ।ଏହି ବିହନ ମହୋତ୍ସବ ଅବସରରେ ଚାଷୀମାନେ ନିଜେ ନିଜେ ସଂରକ୍ଷଣ କରିଥିବା ଦେଶୀ ବିହନ ତଥା ଆଦିବାସୀ ଜୈବ ବିବିଧତା କେନ୍ଦ୍ର, ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ପଦ୍ମଶ୍ରୀ କମଳା ପୂଜାରୀ କେନ୍ଦ୍ରୀୟ ବିହନ ପାଣ୍ଠିରୁ ସଂଗୃହିତ ଥିବା ବିଭିନ୍ନ ଦେଶୀ କିସମର ଧାନ, ଡାଲି, ପନିପରିବା ଏବଂ ମାଣ୍ଡିଆ ବିହନ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥିଲେ। ସର୍ବ ଶେଷରେ ଅନୁଷ୍ଠାନ ତରଫରୁ ସୁରଜିତା ତୁରୁକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି