କୋରାପୁଟକୁ ଶିଶୁ ଶ୍ରମ ଶୂନ୍ୟ ଜିଲ୍ଲା କରିବା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା
ଜୟପୁର, ୫ ଜୁନ୍ (ହି.ସ.)- ଶିଶୁର ହାତରେ ବହି ରହିବ, ହାତୁଡ଼ି ନୁହେଁ — ଏହି ସଂକଳ୍ପ ସହ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ବିରୋଧୀ କର୍ମଶାଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାର
କୋରାପୁଟକୁ ଶିଶୁ ଶ୍ରମ ଶୂନ୍ୟ ଜିଲ୍ଲା କରିବା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା


ଜୟପୁର, ୫ ଜୁନ୍ (ହି.ସ.)- ଶିଶୁର ହାତରେ ବହି ରହିବ, ହାତୁଡ଼ି ନୁହେଁ — ଏହି ସଂକଳ୍ପ ସହ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ବିରୋଧୀ କର୍ମଶାଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ଶିଶୁ ଶ୍ରମ ନିରାକରଣ ପାଇଁ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ମାର୍ଗଦର୍ଶନରେ କୋରାପୁଟକୁ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ଗଠନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଶପଥ ନେଇଛନ୍ତି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଅଧ୍ୟାପକ ବିରଜ ସ୍ୱାଇଁ ଆଇନର ଧାରାକୁ ଜୀବନର କାହାଣୀ କରି ବୁଝାଇଲେ। ୧୯୮୬ ମସିହାର ଶିଶୁ ଶ୍ରମ ନିଷେଧ ଆଇନ ଠାରୁ ୨୦୯ ମସିହାର ଶିକ୍ଷା ଅଧିକାର ଆଇନ ପର୍ଯ୍ୟନ୍ତ ପ୍ରତି ଅକ୍ଷର କେମିତି ଶିଶୁର ହାତକୁ କଲମ ଧରାଏ, ସେ ତା’ର ଚିତ୍ର ଆଙ୍କିଲେ। ଓଡ଼ିଶାର ପାହାଡ଼-ଜଙ୍ଗଲ ମାଟିରେ ଲୁଚି ରହିଥିବା ଶିଶୁ ଶ୍ରମର ତିକ୍ତ ବାସ୍ତବତାକୁ ତଥ୍ୟ ସହ ଉପସ୍ଥାପନ କଲେ। ଜାତୀୟ ଶିଶୁ ଶ୍ରମ ପ୍ରକଳ୍ପର ସ୍ୱତନ୍ତ୍ର ତାଲିମ କେନ୍ଦ୍ରକୁ ଉଦ୍ଧାର ପାଇଥିବା ପିଲାଙ୍କ ଦ୍ୱିତୀୟ ଘର ଭାବେ ଉପସ୍ଥାପନ କରାଗଲା। ଶ୍ରମ, ଶିକ୍ଷା ଓ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଗଲା। ଉଦ୍ଧାର ପୂର୍ବରୁ ଥଇଥାନ ପର୍ଯ୍ୟନ୍ତ — ପ୍ରତି ପର୍ଯ୍ୟାୟରେ କାହାର କ’ଣ ଦାୟିତ୍ୱ, ତା’ର ସ୍ପଷ୍ଟ ଖସଡ଼ା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ସମସ୍ତ ବିଭାଗୀୟ ଅଧିକାରୀ, ଶିଶୁ ସହାୟତା କେନ୍ଦ୍ର, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ଆୟୋଗର ସଦସ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମାନସ୍ମିତା ଖୁଣ୍ଟିଆ ଓ ଶ୍ରୀମତୀ ସୁଜାତା ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଶୁ ଅଧିକାର ସୁରକ୍ଷା ପାଇଁ ଜିଲ୍ଲାର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଶେଷରେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande