




ବଲାଙ୍ଗିର, ୫ ଜୁନ୍ (ହି.ସ.)- ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗୀର ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଥିଲା। ବଲାଙ୍ଗୀର ବନଖଣ୍ଡ ଓ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ବଲାଙ୍ଗୀର ସୌଜନ୍ୟରେ ଆୟୋଜିତ ସଭାରେ ଏ ବର୍ଷର ମୁଖ୍ୟ ବିଷୟ ପ୍ରକୃତିରୁ ଅନୁପ୍ରାଣିତ ଜଳବାୟୁ ଆମ ଭବିଷ୍ୟତ ପାଇଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଅନୁଷ୍ଠାନ ଓ ପ୍ରକୃତିପ୍ରେମୀଙ୍କୁ ପ୍ରକୃତିମିତ୍ର ଓ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ବଲାଙ୍ଗୀର ଡିଏଫଓ ଅଜିତ ବିଶିଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲୱlର ମୁଖ୍ୟ ଅତିଥି,ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ଅତିରିକ୍ତ ଆରକ୍ଷୀ ଅଧିକାରୀ ଜିଏନ ମଲ୍ଲିକ ସମ୍ମାନିତ ଅତିଥି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବବିତା ସିଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବାନାଖଣ୍ଡ କାର୍ଯାଳୟର ଅର୍ଜୁନ ସାହୁ ସଭା ପରିଚାଳନା କରିଥିଲେ।
ଏହି ଅବସରରେ ପୁଇଁତଲା ବ୍ଳକ ପାଇଁ ପଂଚାୟତ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ ପୂର୍ବକ ପ୍ରମାଣପତ୍ର ଓ କୋଡିଏ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ପୁଣି ପରିବେଶ ସଂରକ୍ଷଣ, ସଚେତନତା, ବୃକ୍ଷ ରୋପଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ ପୂର୍ବକ ମାନପତ୍ର ସହ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରାଗଲା l
ପ୍ରକାଶ ଥାଉକି, ଶ୍ରୀ ବଡ଼ପଣ୍ଡା ସଦାସର୍ବଦା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା,ପ୍ଳାଷ୍ଟିକ ବର୍ଜନ, ସ୍ୱଛ୍ଛ ଭାରତ କାର୍ଯ୍ୟକ୍ରମ ଦୀର୍ଘ ଦଶନ୍ଧି ଧରି ନିଜ ବିଦ୍ୟାଳୟ ତଥା ଆଖ ପାଖର ବିଦ୍ୟାଳୟରେ ପରିବେଶ ସମ୍ପର୍କିତ କାମ କରିଆସୁଛନ୍ତି। ଶ୍ରୀ ବଡ଼ପଣ୍ଡା ବୃତ୍ତିରେ ଜଣେ ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବଲାଙ୍ଗୀର ଜିଲ୍ଲା ଇକୋ କ୍ଲବର ଜଣେ ମୁଖ୍ୟ ସାଧନ କର୍ମୀ ଅଟନ୍ତି l ତେଣୁ ବିଦ୍ୟାଳୟ ମାନଙ୍କରେ ଶିଶୁଟିଏ ଗଛଟିଏ ଉପରେ କାମ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ