
ଝାରସୁଗୁଡା, ୫ ଜୁନ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ହିତାଧିକାରୀଙ୍କ ସ୍ଥିତି ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଯୋଜନାର ସୁଫଳ ଯେପରି ପ୍ରକୃତ ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ସମୀକ୍ଷା ଅବସରରେ ଜିଲ୍ଲାପାଳ ଚହ୍ବାଣ ସାମାଜିକ ସୁରକ୍ଷା ବିଭାଗକୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ମୃତ୍ୟୁବରଣ କରିଥିବା ଭତ୍ତାଭୋଗୀମାନଙ୍କର ରିପୋର୍ଟକୁ ତୃଣମୂଳ ସ୍ତରରେ ସଠିକ୍ ଭାବେ ଯାଞ୍ଚ କରିବାକୁ ସେ କହିଛନ୍ତି। ଏଥିପାଇଁ ଅଙ୍ଗନବାଡ଼ି କର୍ମୀ, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତଥ୍ୟ ଏବଂ ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସରକାରୀ ତାଲିକାକୁ ଆଧାର କରି ମୃତ୍ୟୁ ରିପୋର୍ଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ମୃତ ସାମାଜିକ ସୁରକ୍ଷା ପେନସନ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦେବା ସହ ସେହି ସ୍ଥାନରେ ନୂତନ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ଉପସ୍ଥିତ ଥିଲେ। ସେହିପରି ସାମାଜିକ ସୁରକ୍ଷା ବିଭାଗର ସମସ୍ତ ସବ୍-ଡିଭିଜନାଲ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ