
ଭୁବନେଶ୍ୱର, ୦୫ ଜୁନ (ହି.ସ) - ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ସମୁଦାୟ ୧କୋଟି ୪୫ଲକ୍ଷ ୧୫ହଜାର ୨୧୨ଜଣ ଅର୍ଥାତ ମୋଟ ଭୋଟର ର ୪୩.୪୭ ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଂଟନ କରାଯାଇ ସାରିଛି। ଆସନ୍ତା ୨୮ ଜୁନ ୨୦୨୬ର ସମୟସୀମା ପୂର୍ବରୁ ହିଁ ଗଣନା ଫର୍ମ ବଂଟନ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହେବାକୁ ଯାଉଛି।
ଗତ ମେ ୩୦ ରେ ଏସଆଇଆର ନିର୍ଦ୍ଦେଶନାମା ଜାରି ହେବାର ପ୍ରଥମ ୦୭ ଦିନ ମଧ୍ୟରେ ରାଜ୍ୟରେ ସମୁଦାୟ ୩କୋଟି ୩୩ ଲକ୍ଷ ୯୯ହଜାର ୫୯୧ ଜଣମତଦାତାଙ୍କ ମଧ୍ୟରୁ ୧ କୋଟି ୪୫ଲକ୍ଷ ୧୮ହଜାର ୨୧୨ଜଣଙ୍କର ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ହୋଇସାରିଛି, ଯାହାକି ମୋଟ ସଂଖ୍ୟାର ପ୍ରାୟ ୪୩.୪୭ ପ୍ରତିଶତ।
ଏହି ସ୍ୱତନ୍ତ୍ର ଅଭିଯାନକୁ ଶତପ୍ରତିଶତ ସଫଳ କରିବା ପାଇଁ ସାରା ରାଜ୍ୟରେ ୪୫,୨୫୫ ଜଣ ବୁଥସ୍ତରୀୟ ଅଧିକାରୀ (ବିଏଲ୍ଓ) ନିୟୋଜିତ ହୋଇଛନ୍ତି। ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଅଧିକ ସଫଳ ଏବଂ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସକ୍ରିୟ ହୋଇଉଠିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବା ପାଇଁ ଏକ ବ୍ୟାପକ ଜନ-ସଚେତନତା ଅଭିଯାନ ଆରମ୍ଭ କରାଯାଉଛି। ନାଗରିକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ସଚେତନତା ରଥ ଗାଁ କୁ ଗାଁ ବୁଲି ସଚେତନ କରିବା ସହିତସହରଗୁଡ଼ିକରେ ମାଇକ୍ ପ୍ରଚାର, ହୋର୍ଡିଂ, ଏଲ୍.ଇ.ଡି ସ୍କ୍ରିନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କୁ ସାମିଲ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା