

ବଲାଙ୍ଗିର, ୫ ଜୁନ୍ (ହି.ସ.)- ଜନସେବା ଓ ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗୀର ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ‘ଶୀତଳ ଧାରା’ ଶୀତଳ ପାନୀୟ ଜଳ କେନ୍ଦ୍ରର ପୁନଃ ଶୁଭାରମ୍ଭ କରାଯାଇଛି। ଏହି ସେବା ମାଧ୍ୟମରେ ସ୍ଥାନୀୟ ବାସିନ୍ଦା, ଯାତ୍ରୀ ଓ ପଥଚାରୀମାନଙ୍କୁ ବର୍ଷସାରା ୨୪ ଘଣ୍ଟା ସୁରକ୍ଷିତ ଏବଂ ଶୀତଳ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ସେବାର ଉଦ୍ଘାଟନ ବଲାଙ୍ଗୀରର ଅତିରିକ୍ତ ପୁଲିସ ଅଧୀକ୍ଷକ ଅମୃତ କୁମାର ପଣ୍ଡା କରିଥିଲେ। ଏହି ଅବସରରେ ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ, ଇନ୍ସପେକ୍ଟର ସୁଭାଷ ଚନ୍ଦ୍ର ରାୟଗୁରୁ, ସହଯୋଗ ଫାଉଣ୍ଡେସନର ସଦସ୍ୟବୃନ୍ଦ, ବିଶିଷ୍ଟ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଫାଉଣ୍ଡେସନର ସଦସ୍ୟମାନେ ସମାଜସେବା ପ୍ରତି ନିଜମାନଙ୍କର ଅଙ୍ଗୀକାରକୁ ପୁନରୁଚ୍ଚାରଣ କରିବା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ବିଶେଷ ଉପକାରୀ ସାବ୍ୟସ୍ତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ମିଠା ଓ ଛାଛ ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନ ପକ୍ଷରୁ ସମସ୍ତ ଅତିଥି ଓ ସହଯୋଗୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ସମୟ ଏବଂ ସହଯୋଗ ପାଇଁ କୃତଜ୍ଞତା ଜଣାଯାଇଥିଲା।
କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ଏବଂ କୌଶଳ ପ୍ରଭାର ସମ୍ପାଦକ ଆନନ୍ଦ ସାହୁ, କନକ ଟିଭି ର ବଲାଙ୍ଗୀର ବ୍ୟୁରୋ ପ୍ରମୁଖ ଚନ୍ଦ୍ରଭାନୁ ମୌଳା ଏବଂ ନନ୍ଦୀଘୋଷ ଟିଭିର ବ୍ୟୁରୋ ମୁଖ୍ୟ ଦୀପକ ପୁରୋହିତ ଉପସ୍ଥିତ ଥିଲେ। ଏହାଛଡ଼ା ଅନ୍ୟାନ୍ୟ ସାମ୍ବାଦିକମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଜନହିତକର ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ। ଧରିତ୍ରୀ ପତ୍ରିକାର ବୀରେନ୍ଦ୍ର ଖାକର ଏବଂ ଉତ୍କଳ ମେଲ୍ ପବନ ବଂଶଲ ମଧ୍ୟ ଉପସ୍ଥିତ ଥିଲେ।
ସ୍ୱର୍ଗତ ରାଧେଶ୍ୟାମ ଅଗ୍ରୱାଲ ଓ ସ୍ୱର୍ଗତା ଶ୍ରୀମତୀ ପାର୍ବତୀ ଦେବୀ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ପକ୍ଷରୁ ଅଭିନାଶ ଅଗ୍ରୱାଲ ଓ ଅଙ୍କିତ ଅଗ୍ରୱାଲ ‘ଶୀତଳ ଧାରା’ର ସ୍ଥାପନା କରି ସମାଜସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୋପାଳ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ଅରୁଣ ଅଗ୍ରୱାଲ ଓ ଲୋକନାଥ ମିଶ୍ରଙ୍କ ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗଙ୍କ ଉଲ୍ଲେଖନୀୟ ସହଯୋଗ ରହିଥିଲା।
ସହଯୋଗ ଫାଉଣ୍ଡେସନର ଏହି ପଦକ୍ଷେପ କେବଳ ସାଧାରଣ ଲୋକଙ୍କୁ ଉପକୃତ କରିବ ନୁହେଁ, ବରଂ ସାମାଜିକ ଦାୟିତ୍ୱବୋଧ ଓ ଜନସେବାର ଭାବନାକୁ ଆହୁରି ସୁଦୃଢ଼ କରିବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ