
ଜୟପୁର, ୫ ଜୁନ୍ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ଏବଂ ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ଚାରାଗଛ ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଏନ୍ସିସି , ଏନ୍ଏସ୍ଏସ୍ ଏବଂ ୟୁଥ୍ ରେଡକ୍ରସ୍ ସ୍ୱେଚ୍ଛାସେବକମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ ଫଳଜ, ଔଷଧୀୟ ଏବଂ ଛାୟାପ୍ରଦାନକାରୀ ଗଛର ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ କୁଳପତି ପ୍ରଫେସର ହୃଷୀକେଶ ସେନାପତି ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ। ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ ମଧ୍ୟ ପରିବେଶ ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।ଶେଷରେ ଏନ୍ସିସି, ଏନ୍ଏସ୍ଏସ୍ ଏବଂ ୟୁଆର୍ସିର ସ୍ୱେଚ୍ଛାସେବକମାନେ ରୋପଣ କରାଯାଇଥିବା ଚାରାଗଛଗୁଡ଼ିକର ନିୟମିତ ଯତ୍ନ ନେବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହିତ ସଫଳତାର ସହ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି