ବାରଖଣ୍ଡିଆ ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟକୁ ନେଇ ବିବାଦ, ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Villagers please at collector
Please at collector


ଝାରସୁଗୁଡ଼ା, ୦୫ ଜୁନ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଲୋଇସିଂହ ଗ୍ରାମପଂଚାୟତ ଅନ୍ତର୍ଗତ ବାରଖଣ୍ଡିଆ ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ବିବାଦ ଦେଖାଦେଇଛି। ଏମ୍ସିଏଲ ସିଏସଆର ଫଣ୍ଡ ଅନୁଦାନରୁ ବାରଖଣ୍ଡିଆ ଗ୍ରାମରେ ନିର୍ମାଣ ହେବାକୁ ଥିବା କଲ୍ୟାଣମଣ୍ଡପ ର ସ୍ଥାନ ଚୟନ କୁ ନେଇ ଲୋଇସିଂହ ଗ୍ରାମପଂଚାୟତ ସରପଂଚ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବାରଖଣ୍ଡିଆ ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଙ୍କୁ ଭେଟି ଗ୍ରାମବାସୀଙ୍କ ସର୍ବାଧିକ ସମ୍ମତି ଥିବା ଖାତା ନମ୍ବର ୧୪୨ର ୫୬୪ ନମ୍ବର ପ୍ଲଟରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗ୍ରାମରେ ଏହି କଲ୍ୟାଣମଣ୍ଡପ ନିର୍ମାଣ ହେଲେ ଭବିଷ୍ୟତରେ ବିବାହ,ସାମାଜିକ ସଭା,ଜନସଚେତନତା ଶିବିର ଓ ବିଭିନ୍ନ ଜନହିତକର କାର୍ଯ୍ୟର କେନ୍ଦ୍ରବିନ୍ଦୁ ହେବ। ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ କିଛି ବ୍ୟକ୍ତି ତଥା ଲୋଇସିଂହ ସରପଂଚ ଖାତା ନମ୍ବର ୧୪୨ ର ୭୩୮ ନମ୍ବର ପ୍ଲଟରେ କରିବା ପାଇଁ ଏକ ପୁରୁଣା କ୍ଳବ ଘରକୁ ଭାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରପଂଚଙ୍କ ଦ୍ୱାରା ନିରୂପଣ କରାଯାଇଥିବା ସ୍ଥାନଟି ଅଧିକାଂଶ ଜନସାଧାରଣଙ୍କ ପାଇ ସୁବିଧା ଜନକ ନୁହେଁ ଏବଂ ଏହା ଗ୍ରାମର ସାମୁହିକ ମତାମତର ପ୍ରତିଫଳନ ନୁହେଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ତେଣୁ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପକୁ ସମସ୍ତ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏବଂ ୭୦%ରୁ ଅଧିକ ଲୋକଙ୍କ ମତ ଅନୁଯାୟୀ ଖାତା ନମ୍ବର ୧୪୨ର ୫୬୪ ନମ୍ବର ପ୍ଲଟରେ କରାଯିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି। ଏହି ସ୍ଥାନଟି ଗ୍ରାମର ମଧ୍ୟଭାଗରେ, ବୁଧବାର ବଜାରର ନିକଟରେ ଏବଂ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳ ଭାବରେ ମଧ୍ୟ ପରିଚିତ ଥିବାରୁ ଏଠାରେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ କଲ୍ୟାଣମଣ୍ଡପ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟରେ ବାରଖଣ୍ଡିଆ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ଅନ୍ୟପଟେ ବାରଖଣ୍ଡିଆ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ଲୋଇସିଂହ ଗ୍ରାମପଂଚାୟତ କାର୍ଯ୍ୟଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇ ବାରଖଣ୍ଡିଆ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ପ୍ରସ୍ତାବିତ ସ୍ଥାନରେ ହିଁ କଲ୍ୟାଣ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିବା ନେଇ ସୂଚନା ଦେଇଛନ୍ତି। ଏହି କଲ୍ୟାଣ ମଣ୍ଡପ ବାରଖଣ୍ଡିଆ ରୋହିଦାସ ପଡା ଠାରେ ନିର୍ମାଣ ପାଇଁ ୨୦୨୩ ମସିହା ଅଗଷ୍ଟ ୧୫ ତାରିଖ ଅନୁଷ୍ଠିତ ହୋଇଥିବା ଗ୍ରାମସଭାରେ ପ୍ରସ୍ତାବ ହୋଇ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ଏବଂ ପରବର୍ତୀ ସମୟରେ ଏହା ପାରିତ ହୋଇ ଏମ୍ସିଏଲ ସିଏସଆର ଅଧୀନରେ କରିବା ପାଇଁ ଦିଆଯାଇଥିବା ଲୋଇସିଂହ ସରପଂଚ ସନାତନ ରୋହିଦାସ କହିବା ସହିତ ବାରଖଣ୍ଡିଆ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ କରାଯାଇଥିବା ଅଭିଯୋଗ ଭିତିହୀନ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande