

ମାଲକାନଗିରି, ୫ ଜୁନ୍ (ହି.ସ.)- କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ମଙ୍ଗଳା ମାଢୀ ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ହସମତୀ ହନ୍ତାଳ, ସମାଜସେବୀ ତଥା ପରିବେଶବିତ୍ ଭଗବାନ ସାହୁ, ୱ।ର୍ଡ ସଭ୍ୟା ମିନାକ୍ଷୀ ପଣ୍ଡା ଓ ସୁନେଲି ଖିଲ ପ୍ରମୁଖ ଉପସ୍ଥିତ ଥିଲେ । ସରପଞ୍ଚ ଶ୍ରୀ ମାଢୀ ନିଜ ଅଭିଭାଷଣରେ କହିଥିଲେ ଯେ, ଆଜିର ଦିନରେ ଯଦି ଆମେ ପରିବେଶ ପ୍ରତି ସଚେତନ ଓ ଜାଗୃତ ହେବା ସହ ନିଜ ଘର ପରିବେଶ ସଫାସୁତୁରା ରଖିବା, ଖାଲ ଖମାରେ ଅଳିଆ ଆବର୍ଜ୍ଜନା ପକାଇ ପୋତିଦେବା, ଖୋଲାରେ ମଳତ୍ୟାଗ ନକରି ପାଇଖାନାର ବ୍ୟବହାର କରିବା, ନଳକୂପ ପାଣିର ବ୍ୟବହାର ଓ ଏହାର ଚାରିପଟେ ଡିଡିଟି ସ୍ପ୍ରେ କରିବା, ଟାୟାର କିମ୍ବା ଗମଲାରେ ବର୍ଷା ପାଣି ଜମିବାକୁ ନଦେବା ଭଳି, ଛୋଟଛୋଟ ପରିବେଶ ସ୍ୱଛତା କାର୍ଯ୍ୟ ନକଲେ ତାହା ଆଗାମୀ ଦିନରେ ଆମ ଶରୀର ପ୍ରତି କୁପ୍ରଭାବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜାଇ, ମ୍ୟାଲେରିଆ ଓ ଡାଇରିଆ ଭଳି ରୋଗରେ ଆକ୍ରାନ୍ତ କରାଇପାରେ । ସମାଜସେବୀ ଶ୍ରୀ ସାହୁ କହିଥିଲେ ଯେ, ଆଜିକାର ଦିନରେ ବାୟୁ ପ୍ରଦୂଷଣର ମୁଖ୍ୟ ସ୍ରୋତ ହେଉଛି ପେଟ୍ରୋଲ ଓ ଡିଜେଲ୍ ର ବହୁଳ ବ୍ୟବହାର, ଯାହା ଫଳରେ ପାଖାପାଖି ୪୦ ପ୍ରତିଶତରୁ ଉର୍ଦ୍ଧ ବାୟୁ ପ୍ରଦ୍ୟୁଷଣ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ଵାରା ପୃଥିବୀର ତାପମାତ୍ରା କେଉଁଠି ଅଚାନକ ବୃଦ୍ଧି ପାଇଥାଏ ତ କେଉଁଠି ସ୍ୱଳ୍ପବୃଷ୍ଟି ତ କେଉଁଠି ଅତିବୃଷ୍ଟି ସହ କୁଆପଥର ମାଡ ହୋଈଥାଏ, ଯାହାଫଳରେ ଧନଜୀବନ ଓ ଫସଲହାନୀ ଯୋଗୁଁ ପରିବେଶ ଉପରେ ବ୍ୟାପକ କୁପ୍ରଭାବ ପଡିଥାଏ । ଏଥିରୁ ବଞ୍ଚିବାକୁ ହେଲେ ପାରମ୍ପରିକ ଇନ୍ଧନ ଚାଳିତ ଗାଡିମୋଟର ବଦଳରେ, ଇଲେକ୍ଟ୍ରି ଭେଇକିଲ ର ବ୍ୟବହାର, ଆଲୋକ ପାଇଁ ସୋଲାର ଲାଇଟ୍ ର ବ୍ୟବହାର, ଦେହ ଓ ମନକୁ ସୁସ୍ଥ ରଖିବା ପାଇଁ ବୃକ୍ଷ ଲଗାଇବା ଓ ସାଇକେଲ ଆଦି ଚଲେଇବାର ପ୍ରାସଙ୍ଗିକତାକୁ ଏଡାଇ ଦିଆଯାଇନପାରେ ବୋଲି ମତପୋଷଣ କରିଥିଲେ ।
ଶେଷରେ ସମସ୍ତେ ମିଶି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାଫରା, ଅଁଳା, କରଞ, ବେଲ ଚାରା ପ୍ରଭୃତି ରୋପଣ କରି ସ୍ୱଛ ଗାଁ ଓ ସୁରକ୍ଷିତ ଜଳବାୟୁର ବାର୍ତ୍ତା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ