
ଝାରସୁଗୁଡ଼ା, ୫ ଜୁନ୍ (ହି.ସ.)-ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ା ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ତାଳପଟିଆ ଠାରେ ଏକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଆଲୋକମୟୀ ପ୍ରଧାନ, ଝାରସୁଗୁଡ଼ା ବନଖଣ୍ଡର ସହକାରୀ ବନ ସଂରକ୍ଷକ ଜ୍ଞାନେନ୍ଦ୍ର ଲିମା, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ସାଜଦା ବେଗମ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅହଲ୍ୟା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଆବଶ୍ୟକତା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସମ୍ପର୍କରେ ସଚେତନ କରାଇଥିଲେ। ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ଯଥା ମାଗଣା ଆଇନ ସେବା, ପୀଡ଼ିତା କ୍ଷତିପୂରଣ ଯୋଜନା, ଲୋକ ଅଦାଲତ ଓ ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲାର ସମାଧାନ ଏବଂ ନାଲ୍ସାର ଜାତୀୟ ହେଲ୍ପଲାଇନ ନମ୍ବର–୧୫୧୦୦ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ