ବିଶ୍ଵ ପରିବେଶ ଦିବସ ଅବସରରେ ଏନଏଲସି ଇଣ୍ଡିଆର ତାଲାବିରା ତାପ ବିଦ୍ୟୁତ ପ୍ରକଳ୍ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
World environment day at NLC
Nlc india


ଝାରସୁଗୁଡା, ୫ ଜୁନ୍ (ହି.ସ.)- ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ ଏନଏଲସି ଇଣ୍ଡିଆ ଲିମିଟେଡ୍ ର ତାଲାବିରା ତାପ ବିଦ୍ୟୁତ ପ୍ରକଳ୍ପ (ଏନଟିଟିପିପି) ପକ୍ଷରୁ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତା ସହ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ହିର୍ମାସ୍ଥିତ ପୁନର୍ବାସ ଓ ପୁନଃସ୍ଥାପନ (ଆର୍ ଆଣ୍ଡ ଆର୍) କଲୋନୀର କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଏନଟିଟିପିପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ ସନ୍ତୋଷ ସି.ଏସ୍. ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସାଧାରଣ ପ୍ରବନ୍ଧକ (ପ୍ରକଳ୍ପ) କେ. ଅରିଭାଝାଗନ, ସାଧାରଣ ପ୍ରବନ୍ଧକ (ଇଲେକ୍ଟ୍ରିକାଲ୍/ଭୂମି) ଆର୍.କେ. ପାଣ୍ଡେ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ଶରତ ଚନ୍ଦ୍ର ବେହେରାଙ୍କ ସମେତ ପ୍ରକଳ୍ପର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉପସ୍ଥିତ ଅତିଥିମାନେ ପରିବେଶ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ ଥିବା କଥା ଉଲ୍ଲେଖ କରିଥିଲେ। ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ”ର ତାତ୍ପର୍ଯ୍ୟ ବ୍ୟାଖ୍ୟା କରି ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ସ୍ଥାୟୀ ଓ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କର୍ମଚାରୀ ଓ ଠିକା ଶ୍ରମିକ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ଏଥିସହ ଏକ ପରିବେଶ ସୁରକ୍ଷା ଶପଥ ପାଠ କରାଯାଇଥିଲା, ଯେଉଁଥିରେ ପ୍ରଦୂଷଣ ନିୟନ୍ତ୍ରଣ, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସ୍ଥାୟୀ ବିକାଶ ପ୍ରତି ସମସ୍ତଙ୍କ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ପରିବେଶ ସୁରକ୍ଷା ଓ ସବୁଜ ବିକାଶ ପ୍ରତି ଏନଏଲସି ଇଣ୍ଡିଆ ଲିମିଟେଡ୍ ର ନିରନ୍ତର ପ୍ରତିଶ୍ରୁତିକୁ ପ୍ରତିଫଳିତ କରିଥିଲା। ଏନଏଲସି ଇଣ୍ଡିଆ ଲିମିଟେଡ୍ ପରିବେଶ ସନ୍ତୁଳନ ରକ୍ଷା ଏବଂ ଅଞ୍ଚଳରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ପରିବେଶମୂଳକ ପଦକ୍ଷେପ ଜାରି ରଖିବ ବୋଲି ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande