
ଭୁବନେଶ୍ୱର, ୦୫ ଜୁନ (ହି.ସ) - ପୂର୍ବ ତଟ ରେଳପଥ ଜଳବାୟୁ ପରିବର୍ତନ ବିଷୟବସ୍ତୁକୁ ଆଧାର କରି, ଏହାର ମୁଖ୍ୟାଳୟ ଏବଂ ଡିଭିଜନ ଗୁଡିକରେ ସଚେତନତା, ବୃକ୍ଷରୋପଣ ଏବଂ ସ୍ଥାୟୀ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ କରିଛି। ପରିବେଶ ସଂରକ୍ଷଣ, ପରିବେଶ ଅନୁକୂଳ ଜୀବନଶୈଳୀ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ୧୫ ମଇ ରୁ ୫ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନର କର୍ମଚାରୀ, ଅଧିକାରୀ, ପରିବାରବର୍ଗ ଏବଂ ଯାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ମୁଖ୍ୟାଳୟରେ, ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ବିଶ୍ୱ ପରିବେଶ ଦିବସର ଶପଥ ପାଠ କରାଇଥିଲେ, ଯାହା ପରିବେଶ ସୁରକ୍ଷା ଏବଂ ନିରନ୍ତର ବିକାଶ ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ଦୃଢ କରିଥିଲା। ଏହି ଅବସରରେ ପରିବେଶ ପ୍ରତି ଦାୟିତ୍ୱବୋଧ ଏବଂ ଜଳବାୟୁ ସଚେତନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ମିଶନ୍ ଲାଇଫ୍ - ପରିବେଶ ପାଇଁ ଜୀବନଶୈଳୀର ନୀତିଗୁଡ଼ିକୁ ପ୍ରୋତ୍ସାହିତ କରିବା, ଥରେ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କମାଇବା, ବର୍ଜ୍ୟବସ୍ତୁ ପୃଥକୀକରଣ ଓ ପୁନଃଚକ୍ରଣ (ରିସାଇକ୍ଲିଂ)କୁ ଉତ୍ସାହିତ କରିବା, ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିବା ଏବଂ ବ୍ୟାପକ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ସବୁଜିମା ବୃଦ୍ଧି କରିବା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା