
ଜୟପୁର, ୫ ଜୁନ୍ (ହି.ସ.)- ଲୁଟ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତ ଫୁଫୁଗାଁ ଗ୍ରାମର ରମେଶ ଆଲିଏସ ଆଲୋକ ହରିଜନ(୨୨), ସନ କେବିଡି ଗ୍ରାମର ଟୁକୁନା ହରିଜନ (୧୯), ଡ଼ଙ୍ଗରା ଗ୍ରାମର ଦୈତାରୀ ହରିଜନ (୨୨), ଦଣ୍ଡସେନାଗୁଡା ଗ୍ରାମର ଦମ୍ବୁରୁ ଧର ମାଝୀ (୩୦) ଓ ଡ଼ଙ୍ଗରା ଗ୍ରାମର ଫ୍ରଫୁଲ ନାୟକ (୨୨) l
କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କେବଡି ଗ୍ରାମପଞ୍ଚାୟତରେ ରହିଥିବା ଜଗତଜନନୀ କାଜୁ ମିଲର ଦୁଇ ମାଲିକ ଗତକାଲି ରାତି ୮ଟା ସମୟରେ କାଜୁ ମିଲକୁ ବନ୍ଦ କରିବା ପରେ ବାଇକ ଯୋଗେ ଜୟପୁର ଘରକୁ ଫେରୁଥିବା ବେଳେ କେବିଡି ଗ୍ରାମ ଏବଂ ବିଜେ-୨ ଗ୍ରାମ ରାସ୍ତାର ଦଣ୍ଡସେନା ଗୁଡା ଗ୍ରାମ ନିକଟରେ ରାସ୍ତା ଉପରେ ପ୍ରାୟ ୫ ଜଣ ମୁଖାଧାରୀ ଦୁର୍ବୃତ ସେମାନଙ୍କୁ ଅଟକାଇ ମାଡ ମାରିବା ସହିତ ସୁନାଚେନ, ମୁଦି ଏବଂ ୪ ହଜାର ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଗତ ୩୦ ତାରିଖରେ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦୁଇ କାଜୁ ମିଲ ମାଲିକ ଜୟପୁର ସହରର ଦାଶରୀ ସାହିର କେ. ଅମରନାଥ ଲିଖିତ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ତାଙ୍କ ବ୍ୟବସାୟୀ ସହଯୋଗୀ ଜୟପୁର ସହର ଭୂପତି ସାହିର ଏସ. ବୈକୁଣ୍ଠ ନିଜ ନିଜ ବାଇକରେ ମିଶି ଘରକୁ ରାତିରେ ଫେରୁଥିବା ବେଳେ ରାସ୍ତାରେ ୫ ଜଣ ମୁଖାଧାରୀ ସେମାନଙ୍କୁ ଅଟକାଇ ମାଡ ମାରିଥିଲେ। ଅମରାନାଥ ପିନ୍ଧି ବେକର ସୁନା ଚେନ, ସୁନାମୁଦି ଏବଂ ୨ ହଜାର ଟଙ୍କା ଲୁଟି ନେଇଥିଲେ ଏବଂ ତାଙ୍କ ସହଯୋଗୀଙ୍କ ଠାରୁ ମଧ୍ୟ ୨ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ଦୁଇ କାଜୁ ବ୍ୟବସାୟୀ ସେଠାରୁ ଫେରି ସଦର ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି