
ନୂଆପଡ଼ା, ୬ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ରାଜସ୍ୱ ସଂଗ୍ରହ, ଆଇନଶୃଙ୍ଖଳା, ଜମି ସମ୍ବନ୍ଧୀୟ ମାମଲା ଓ ଖଣିଜ ସମ୍ପଦ ସୁରକ୍ଷାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଆରମ୍ଭରେ ଜିଲ୍ଲାପାଳ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟାରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ମଣ୍ଡି ପରିଚାଳନା ଉପରେ ନଜର ରଖିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବୈଧ ଖଣି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ସ୍ଥଳେ ଧାରା ୧୪୪ ଜାରି ପାଇଁ ପଦକ୍ଷେପ ନେବାକୁ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ବର୍ଷ ମେ ମାସ ସୁଦ୍ଧା ଜିଲ୍ଲାରେ ଜମି ରାଜସ୍ୱ ଓ ଅନ୍ୟାନ୍ୟ ବକେୟା ଆଦାୟ କ୍ଷେତ୍ରରେ ଗତ ବର୍ଷ ତୁଳନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଜିଲ୍ଲାର ଡିସିବି ସଂଗ୍ରହ ହାର ୧୪.୦୬ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତ ବର୍ଷ ସମାନ ଅବଧିରେ ଏହା ୪.୨୨ ପ୍ରତିଶତ ଥିଲା। ସମସ୍ତ ତହସିଲକୁ ରାଜସ୍ୱ ଆଦାୟ ଆହୁରି ବୃଦ୍ଧି କରିବାକୁ କୁହାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ମେ ମାସ ସୁଦ୍ଧା ୪,୦୬୫ଟି ମ୍ୟୁଟେସନ୍ ମାମଲା ଗ୍ରହଣ କରାଯାଇଥିବା ବେଳେ ୧,୯୬୮ଟି ମାମଲାର ଫଇସଲା କରାଯାଇଛି।
ଜିଲ୍ଲାରେ ୨୨,୬୫୩ଟି ଆଇଏଫଆର ଦାବି ଗ୍ରହଣ କରାଯାଇଥିବା ବେଳେ ୧୯,୪୪୯ଟି ମାମଲାର ଫଇସଲା କରାଯାଇଛି। ସେହିପରି ସିଏଫଆର ଓ ସିଏଫଆର ଆର ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି ଏବଂ ରାଜସ୍ବ ରେକର୍ଡ ସଂଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା। ମେ ମାସରେ ଆବକାରୀ ବିଭାଗ ୧ କୋଟି ୭୧ ଲକ୍ଷ ୬୭ ହଜାର ୫୭୮ ଟଙ୍କା ରାଜସ୍ୱ ସଂଗ୍ରହ କରିଥିବା ବେଳେ ୧୪୭ଟି ମାମଲା ରୁଜୁ କରି ୮୭ ଜଣଙ୍କୁ ଗିରଫ କରିଛି। ସେହିପରି ପରିବହନ ବିଭାଗ ମେ ମାସରେ ୧ କୋଟି ୭ ଲକ୍ଷ ୭୮ ହଜାର ୫୫୮ ଟଙ୍କା ରାଜସ୍ୱ ସଂଗ୍ରହ କରିଥିବା ଜଣାପଡ଼ିଥିଲା। ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଙ୍ଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ନିୟମିତ ଭର୍ଚୁଆଲ ବୈଠକ କରିବାକୁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ଅଳଙ୍କାର ଦୋକାନର ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ଲିଗାଲ ମେଟ୍ରୋଲୋଜି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା ଓ ଉତ୍କୃଷ୍ଟ ସମନ୍ୱୟ ପାଇଁ ବୋଡେନ ତହସିଲର ମନବୋଧ ମାଝୀଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।
ବୈଠକରେ ଡିଏଫଓ (ପ୍ରାନ୍ତିୟ) ଏମ୍. ଅଜିଜ ଖାନ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ଡେପୁଟି ଜିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତୀ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନାସିମ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ