
- ବର୍ଷା ପବନରେ ଜନତା ମଇଦାନ ଛାରଖାର
ଭୁବନେଶ୍ୱର, ୦୬ ଜୁନ (ହି.ସ)- ଶନିବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଫଳରେ ଗରମ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । କାଳବୈଶାଖୀ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି। ଏହାସହ ଭୁବନେଶ୍ୱର ଜନତା ମଇଦାନରେ ତାଣ୍ଡବ ରଚିଛି କାଳବୈଶାଖୀ। ପ୍ରବଳ ବର୍ଷା ପବନ ଯୋଗୁଁ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ପାଇଁ ନିର୍ମିତ ଟେଂଟ ଭାଙ୍ଗି ପଡିଥିବା ବେଳେ ବହୁ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
ଶନିବାର ସକାଳୁ ଭୁବନେଶ୍ୱରରେ ଅସହ୍ୟ ଗରମ ଓ ଗୁଳୁଗୁଳି ପରିଲକ୍ଷିତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୩ ଡିଗ୍ରୀ ଓ ଆର୍ଦ୍ରତା ୭୭% ଥିଲା । ତାପମାତ୍ରା ୩୩ ଡିଗ୍ରୀ ଥିଲେ ହେଁ ୪୭ ଡିଗ୍ରୀ ପରି ଅନୁଭୂତ ହେଉଥିଲା। ଆକାଶରୁ ଯେମିତି ନିଆଁ ବର୍ଷା ହେଉଥିଲା । ତେବେ ଅପରାହ୍ନର କାଳବୈଶାଖୀ ରାଜଧାନୀବାସୀଙ୍କ ଆଶ୍ୱସ୍ତି ଆଣିଛି। ଜୟଦେବ ବିହାର ଅଂଚଳରେ ଗଛ ଭାଙ୍ଗି ପଡିବାରୁ ପାଖାପାଖି ୧୦ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେହିପରି କାଳବୈଶାଖୀ ବର୍ଷାରେ ଭୁବନେଶ୍ୱର ଜନତା ମଇଦାନ ଛାରଖାର ହୋଇଯାଇଛି। ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ପାଇଁ ନିର୍ମିତ ଟେଂଟ ଭାଙ୍ଗି ପଡ଼ିବା ସହ ପ୍ରାୟ ୨୫୦ଟି ଷ୍ଟଲ୍ ବର୍ଷା ପବନରେ ମାଟିରେ ମିଶିଯାଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ବର୍ଷା ପବନରେ ନଷ୍ଟ ହେବା ଯୋଗୁଁ ଅନ୍ତର୍ଜାତୀୟସ୍ତରରୁ ଆସିଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା